ପୂର୍ବତଟ ରେଳପଥ ମେ, 2020ର ପ୍ରଥମ ସପ୍ତାହରୁ ଏହାର ଅଧିକାର କ୍ଷେତ୍ର ଅଧୀନରୁ ପାଖାପାଖି 634ଟି ଶ୍ରମିକ ସ୍ପେଶାଲ ଟ୍ରେନ ପରିଚାଳନା କରିଛି । ଏଥି ମଧ୍ୟରୁ 250ଟି ଶ୍ରମିକ ସ୍ପେଶାଲ ଟ୍ରେନ ବାହାର ରାଜ୍ୟରୁ ପୂର୍ବତଟ ରେଳପଥ ଅଧିକାର କ୍ଷେତ୍ରକୁ ଆସିଛି । 14 ଟି ଶ୍ରମିକ ସ୍ପେଶାଲ ଟ୍ରେନ ଗୁଡିକୁ ପୂର୍ବ ତଟ ଅଧୀନରେ ଥିବା ବିଭିନ୍ନ ସ୍ଥାନରୁ ଯଥା ସମ୍ବଲପୁରରୁ ଗୋଟିଏ, ଭୁବନେଶ୍ୱରରୁ ଦୁଇଟି ଅନ୍ୟ ସବୁ ବିଶାଖାପାଟଣାରୁ ବିଭିନ୍ନ ସ୍ଥାନ ମାନଙ୍କୁ ପଠାଯାଇଛି । ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶରୁ ଏହି ଟ୍ରେନ ଗୁଡିକ ଓଡିଶାକୁ ଆସିଥିଲା । ପ୍ରାୟ 372 ଟି ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟ ପୂର୍ବ ତଟ ରେଳପଥର ମାର୍ଗରେ ସୁରକ୍ଷିତ ରୂପେ ଚଳାଚଳ କରିଥିଲା, ଯେଉଁଗୁଡିକରେ ପୂର୍ବ ତଟ ରେଳପଥର ବିଭିନ୍ନ ଷ୍ଟେସନମାନଙ୍କରେ ଖାଦ୍ୟ ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥିଲା ।
ଯେତେବେଳେ ବି ଆବଶ୍ୟକତା ହେବ ଶ୍ରମିକ ସ୍ପେସିଆଲ ଟ୍ରେନ ଯୋଗାଇ ଦେବା ନିମନ୍ତେ ସମସ୍ତ ରାଜ୍ୟ ସରକାର ମାନଙ୍କୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଶ୍ୱାସନା ଦିଆଯାଇଛି । ଆଇ.ଆର.ସି.ଟି.ସି ସହଯୋଗରେ ଶ୍ରମିକ ସ୍ପେଶାଲ ଟ୍ରେନ ମାନଙ୍କରେ ପୂର୍ବ ତଟ ରେଳପଥ ପକ୍ଷରୁ 12 ଲକ୍ଷରୁ ଅଧିକ ନିଃଶୁଳ୍କ ଖାଦ୍ୟ ଓ ପାଣି ବୋତଲ ଯାତ୍ରୀମାନଙ୍କୁ ଯୋଗାଇ ଦିଆ ଯାଇଥିଲା । ଏହି ଶ୍ରମିକ ଟ୍ରେନ ଗୁଡିକ ଯାତ୍ରା କରୁଥିବା ସମୟରେ ରେଳପଥର ଡାକ୍ତର ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁରକ୍ଷିତ ରୂପେ ପ୍ରସବ ହୋଇ ଅନେକ ନବଜାତ ଶିଶୁଙ୍କ ଜନ୍ମ ହେବାର ସ୍ମରଣୀୟ ଘଟଣା ମଧ୍ୟ ଘଟିଥିଲା ।