ଶ୍ରୀ ପ୍ରଧାନ କହିଛନ୍ତି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ଜଣେ ବି ଲୋକ ଭୋକରେ ନରୁହନ୍ତୁ, ଏହାକୁ ମୋଦି ସରକାର ଅଧିକ ପ୍ରାଥମିକତା ଦେଇଛନ୍ତି । ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ଏବଂ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣ ଗରିବଙ୍କ କଲ୍ୟାଣ ପ୍ରତି ମୋଦି ସରକାରଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି । ଦେଶର କୃଷକ ଓ କରଦାତାଙ୍କୁ ସମ୍ମାନ ଜଣାଇ ସେ କହିଛନ୍ତି ଯେ ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ତଳ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରିପାରିଛି ।
କରୋନା ସହ ଲଢ଼େଇ ଏବେ ସୁଦ୍ଧା ସମାପ୍ତ ହୋଇନାହିଁ । ଏହି ସଂକ୍ରମଣ ପ୍ରତି ସତର୍କ ଏବଂ ସାବଧାନ୍ ହିଁ ବର୍ତ୍ତମାନ ସମୟରେ ବଡ଼ ସୁରକ୍ଷା । କରୋନା ବିରୁଦ୍ଧରେ ସମସ୍ତ ନିୟମକୁ ମାନି ଦେଶ ଏବଂ ଅର୍ଥ ବ୍ୟବସ୍ଥାକୁ ଆତ୍ମନିର୍ଭର ଆଡ଼କୁ ନେବାର ଆବଶ୍ୟକତା ରହିଛି । ସୁସ୍ଥ ରହି ଦୁଇ ମିଟର ଦୂରତାକୁ ପାଳନ କରିବା, ଗାମୁଛା, ମାସ୍କ ଇତ୍ୟାଦିର ଉପଯୋଗ କରି ଆମେ ଅର୍ଥନୈତିକ ପ୍ରକ୍ରିୟାକୁ ଅଗ୍ରସର କରାଇପାରିବ ବୋଲି ସେ କହିଛନ୍ତି । ଲୋକାଲ୍ ପାଇଁ ଭୋକାଲ୍ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢ଼ିବା ବୋଲି ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।
ଉଲ୍ଲେଖନୀୟ ଯେ, ବର୍ତ୍ତମାନର ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ୟ୍ୟନ୍ତ ତଥା ଆସନ୍ତା ପାଞ୍ଚ ମାସ ପାଇଁ ବୃଦ୍ଧି କରାଯାଇଛି । ଏହାର ମୂଲ୍ୟ ୯୦ହଜାର କୋଟିରୁ ଅଧିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ଆଗାମୀ ପାଞ୍ଚ ମାସ ପାଇଁ ଦିଆଯିବ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ମାସ୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ସାର୍ବଜନୀନ ସ୍ଥାନରେ ମାସ୍କ ନପିନ୍ଧିଥିବାରୁ ତାଙ୍କ ଠାରୁ ୧୩ ହଜାର ଟଙ୍କା ଆଦାୟ କରାଯାଇଛି ବୋଲି ଉଦାହରଣ ଦେବା ସହ ଦେଶବାସୀଙ୍କୁ ସର୍ବସାଧାରଣରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ।