
ଅର୍ଗସ ବ୍ୟୁରୋ : ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷାକରି କୋଭିଡ୍-୧୯ ଲଢ଼େଇ ନିମନ୍ତେ ରାଜ୍ୟ ସରକାର ପରିବର୍ତ୍ତିତ ରଣନୀତି ପ୍ରସ୍ତୁତ କରିଛନ୍ତି । ଏ ବିଷୟରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ କହିଛନ୍ତି ଯେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ସରକାର ପରିବର୍ତ୍ତିତ ଗାଇଡ୍ ଲାଇନ୍ ପ୍ରଣୟନ କରିଛନ୍ତି ।
ଗ୍ରାମାଞ୍ଚଳରେ ୧୪ ଦିନିଆ ଆନୁଷ୍ଠାନିକ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ହେବ । ସହରାଞ୍ଚଳରେ ୧୪ ଦିନିଆ ହୋମ୍ କ୍ୱାରେଣ୍ଟାଇନ୍ ସୁବିଧା ରହିବ । ଅନ୍ୟ ରାଜ୍ୟକୁ ଯାଇ ୭୨ ଘଣ୍ଟା ମଧ୍ୟରେ ଫେରିଥିବା ସରକାରୀ ଅଧିକାରୀ, ବ୍ୟବସାୟୀ, ବୃତ୍ତିଧାରୀବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ପଡିବ ନାହିଁ । ରାଜ୍ୟରେ କୋଭିଡ୍ ପରିଚାଳନା ପାଇଁ ନିମ୍ନ ନିୟମାବଳୀ ବଳବତ୍ତର ରହିବ ସର୍ବସାଧାରଣ ସ୍ଥାନରେ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା, ଗରାଖମାନଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ଦୋକାନୀମାନଙ୍କ ଦାୟିତ୍ୱ ହେବ । ସେଲୁନ୍, ସ୍ପା, ବିଉଟି ପାରଲର୍, ବିଅର ସପ୍ ଆଦିର ମାଲିକମାନେ ସଂପୂର୍ଣ୍ଣ କରୋନା ପ୍ରତିରୋଧ ବ୍ୟବସ୍ଥା କରିବେ । ପ୍ରତି ଲୋକଙ୍କୁ ସେବା ଦେବା ପରେ ସେ ସ୍ଥାନକୁ ସାନିଟାଇଜ୍ କରିବା ତାଙ୍କର ଦାୟିତ୍ୱ ହେବ। ଏହାର ଉଲଘଂନ ପାଇଁ ସଂପୃକ୍ତ ଦୋକାନ ମାଲିକ ଦାୟୀ ରହିବେ ।
ରାଜ୍ୟ ଭିତରେ ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟ ଭିତରେ ଦ୍ରବ୍ୟ ପରିବହନ ଓ ଲୋକମାନଙ୍କର ଯାତାୟତ ପାଇଁ କୌଣସି ଆଗୁଆ ଅନୁମତି ବା ଅନୁମୋଦନ ଦରକାର ହେବନାହିଁ । ବିଭିନ୍ନ ଜିଲ୍ଲା ଓ ସହରାଞ୍ଚଳ ସ୍ଥିତି ଅନୁସାରେ ସଂପୃକ୍ତ ଜିଲ୍ଲାପାଳ ବା ପୌର କମିାନର ଆବଶ୍ୟକୀୟ କଟକଣା ଜାରି କରିପାରିବେ ।
୬୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲା ଏବଂ ପୂର୍ବରୁ ବିଭିନ୍ନ ରୋଗରେ ପିଡୀତ ଥିବା ବ୍ୟକ୍ତି ମାନଙ୍କୁ ଘରେ ରହିବା ପାର୍ଇ ପରାମର୍ଶ ଦିଆଯାଇଛି । କେବଳ ଜରୁରୀକାଳୀନ ଚିକିତ୍ସା ବ୍ୟତୀତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହିସବୁ ବ୍ୟକ୍ତି ଘରେ ରୁହନ୍ତୁ । ଏସବୁ ନିୟମ ଉଲଘଂନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁ ଅନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
