ପୁଣି ଚର୍ଚ୍ଚାରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ । ବିବାଦ ନେଲା ଏବେ ନୂଆ ମୋଡ଼ । ସରକାରୀ ଜମି ଉପରେ ସୌନ୍ଦର୍ଯ୍ୟକରଣ ହୋଇଛି ମାନୁଛନ୍ତି ଖୋଦ ମଲ୍ କତୃପକ୍ଷ। ଖାଲି ଏତିକି ନୁହେଁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଏମସି ନିଜେ ଅନୁମତି ଦେଇଥିଲା ବୋଲି କହୁଛନ୍ତି ମଲ୍ କତୃପକ୍ଷ । ସରକାର ଉକ୍ତ ସ୍ଥାନକୁ ଉଚ୍ଛେଦ କଲେ କୌଣସି ଆପତ୍ତି ନାହିଁ ବୋଲି କହୁଛନ୍ତି ମଲ୍ କତୃପକ୍ଷ । ତେବେ କାହିଁକି ମଲରେ ହାତ ମାରିବା ପାଇଁ ସାହସ ଜୋଟେଇ ପାରୁନାହାଁନ୍ତି ବିଏମସି ଓ ପୂର୍ତ୍ତ ବିଭାଗ । କାହା ଭୟରେ ବ୍ୟାକଫୁଟକୁ ଚାଲି ଯାଉଛନ୍ତି ପ୍ରଶାସନ । କେଉଁ ଅଦୃଶ୍ୟ ଶକ୍ତି ଏହା ପଛରେ କାମ କରୁଛି । ସରକାର ନିଜ ଜାଗା ଭାଙ୍ଗିବେ ହେଲେ କାହିଁକି ମଲର ଜବରଦଖଲ ଉପରେ ହାତ ଲଗାଉନାହାଁନ୍ତି । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନ ।
ଉତ୍କଳ କନିକା ଗ୍ୟାଲେରିଆ ମଲ ଘଟଣାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ଭୁବନେଶ୍ୱର ବିଜେପି । ମାଉସା ମା ମନ୍ଦିର ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପପ୍ରସାରଣ ପାଇଁ ବିଏମସି ବିଲ୍ଡିଂ, ରାଜ୍ୟ ସଂଗ୍ରହାଳୟ, ବିଜେବି କଲେଜ, ଭଞ୍ଜକଳା ମଣ୍ଡପର କିଛି ଅଂଶ ଭଙ୍ଗାଯିବ । ହେଲେ ସରକାରୀ ଜାଗାରେ ମଲ ସୌନ୍ଦର୍ଯ୍ୟକରଣକୁ କାହିଁକି ଉଚ୍ଛେଦ କରାଯାଉନି ବୋଲି ବିଜେପି ପ୍ରଶ୍ନ କରିଛି । ଏହା ପୂର୍ବରୁ ଚାରିରୁ ପାଞ୍ଚ ଥର ମଲ ସୌନ୍ଦର୍ୟ୍ୟକରଣକୁ ଉଚ୍ଛେଦ କରିବା ପାଇଁ ବିଏମସି ଆସି କାହିଁକି ଫେରି ଚାଲି ଯାଉଥିଲା ବୋଲି ବିଜେପି ପ୍ରଶ୍ନ କରିଛି । ଖାଲି ଏତିକି ନୁହେଁ ତତ୍କାଳିନ ପୋଲିସ ଡିଜି ବିକେ ଶର୍ମା ମଲରେ ତାଲା ପକେଇଥିଲେ ବୋଲି ତାଙ୍କ ପଦ ଯାଇଥିଲା ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ତେବେ କାହିଁକି ଗୋଟିଏ ମଲକୁ ଏତେ ଅନୁକମ୍ପା ଦିଆଯାଉଛି ବୋଲି ଅଭିଯୋଗ କରିଛି ବିଜେପି ।
ସରକାରୀ ସ୍ଥାନରେ ସୌନ୍ଦର୍ଯ୍ୟକରଣ ହୋଇଛି ବୋଲି ମଲ କତୃପକ୍ଷ ନିଜେ ସ୍ୱୀକାର କରୁଛନ୍ତି । ହେଲେ ପ୍ରଶାସନ କାହିଁକି ସମ୍ପୃକ୍ତ ସ୍ଥାନକୁ ହାତ ମାରିପାରୁ ନାହିଁ ବୋଲି ଏବେ ସାଧାରଣରେ ଉଠିଲାଣି ପ୍ରଶ୍ନ ।