ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରାଞ୍ଚଳ ମାନଙ୍କରେ ବିଭିନ୍ନ ବ୍ୟାଙ୍କ୍ ଏବଂ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ରହିଛି । ପ୍ରତି ବ୍ୟାଙ୍କ୍ ବ୍ରାଞ୍ଚକୁ ଚଳିତ ବର୍ଷ ଅତିକମରେ ୧୦ଟି ଜେ.ଏଲ୍.ଜି ଙ୍କୁ ଋଣ ଦେବା ପାଇଁ କୁହାଯାଇଛି । ଏହା ଫଳରେ ପ୍ରାୟ ୭୦,୦୦୦ ଗ୍ରୁପ୍ ଚଳିତ ବର୍ଷ କୃଷି ଋଣ ପାଇ ପାରିବେ । ଗୋଟିଏ ଗ୍ରୁପରେ ୫ ଜଣ ଚାଷୀ ରହିବେ । ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ପ୍ରତି ଗ୍ରୁପ୍ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍ ଗଠନ କରି ସେମାନଙ୍କୁ ବ୍ୟାଙ୍କ୍ ମାନଙ୍କ ସହ ସଂଯୋଜିତ କରିବେ । ଋଣ ଯୋଗାଣ ଏବଂ ଋଣ ପୈଠ ଆଦିରେ ସହାୟତା କରିବେ । ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଳ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ସ୍ଥିର ହୋଇଛି । ଭୂମିହୀନ ଚାଷୀମାନଙ୍କୁ ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ ।
ଏହାର ସୁଧ ହାର ଏବଂ ସୁଧ ରିହାତି ଆଦି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ । ନାବାର୍ଡାର ଓଡ଼ିଶା ମୁଖ୍ୟ ମହା ପ୍ରବନ୍ଧକ କହିଛନ୍ତି, ସରକାରଙ୍କ ଏହି ଯୋଜନା ଅନ୍ୟ କୌଣସି ରାଜ୍ୟରେ କାର୍ଯ୍ୟକାରୀ ହୋଇନାହିଁ । ଏହି ଯୋଜନା ସଫଳ ହେଲେ ସମଗ୍ର ଦେଶ ପାଇଁ ଏକ ମଡେଲ୍ ହେବ” ।