ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ଉପରେ ନିର୍ଭର ଚଳନ୍ତି 8 ହଜାରରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ । କିନ୍ତୁ ସମସ୍ତଙ୍କ ଜୀବିକା ଏବେ ବିପଦରେ । ଏଠାରେ ବ୍ଲୁ ଫ୍ଲାଗ ବିଚ ପାଇଁ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି ।
ଯାହାକୁ ବିରୋଧ କରିଛନ୍ତି ମତ୍ସ୍ୟଜୀବୀ । ସେମାନଙ୍କ କହିବା କଥା, ମାଛ ଧରିବା ପାଇଁ ଏହି ସ୍ଥାନ ଅନୁକୂଳ । ଏଠାରେ ଡଙ୍ଗା ରଖିବା ସହ ମାଛ ରଖିବା ପାଇଁ ଘର ରହିଛି । ତେଣୁ ସରକାର ଅନ୍ୟ କୌଣସି ସ୍ଥାନ ଚିହ୍ନଟ କରି ବ୍ଲୁ ଫ୍ଲାଗ ବିଚ ନିର୍ମାଣ କରନ୍ତୁ ବୋଲି ମତ୍ସ୍ୟଜୀବୀ ଦାବି କରିଛନ୍ତି ।
ସେପଟେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବିଧାୟକଙ୍କ ଏକ ଟିମ ମତ୍ସଜୀବୀଙ୍କ ସହ ଆଲୋଚନା କରିଛନ୍ତି । ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଡ଼ିଲେ ବିଧାନସଭାରେ ପ୍ରସଙ୍ଗ ଉଠାଯିବ ବୋଲି ନରସିଂହ ମିଶ୍ର କହିଛନ୍ତି ।
ଅନ୍ୟପଟେ ଲୋକଙ୍କ ସ୍ୱାର୍ଥ ପାଇଁ ପ୍ରଶାସନ ଅନ୍ୟତ୍ର ବ୍ଲୁ ଫ୍ଲାଗ ବିଚ ନିର୍ମାଣ କରୁ ବୋଲି ବିଜେପି କହିଛି । ସୌନ୍ଦର୍ଯ୍ୟକରଣ ନାଁରେ ଲୋକଙ୍କ ଜୀବିକା ଛଡାଇବା କେତେ ଦୂର ଠିକ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ତେବେ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ପାଇଁ ପ୍ରଶାସନ କଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା ।