ମୟୂରଭଞ୍ଜ: ଚେକ୍ ବୁକ୍ ଇସ୍ୟୁ ହୋଇନି କିନ୍ତୁ ଚେକ୍ରୁ ଉଠାଯାଇଛି ୧୦ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ବାରିପଦା ଟାଉନର ତକତପର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ । ଶାନ୍ତି ମୁଖୀ ନାମକ ଜଣେ ଅବସରପ୍ରାପ୍ତ ମହିଳା କର୍ମଚାରୀ ସେଭିଙ୍ଗସ୍ ଏକାଉଣ୍ଟରେ ୧୪ ଲକ୍ଷ ଟଙ୍କା ଗଚ୍ଛିତ ରଖିଥିଲେ । ୧୧ ଡିସେମ୍ବର ଦିନ ପାସବହି ଅପଡେଟ୍ କରିଲା ପରେ ଜାଣିବାକୁ ପାଇଲେ ତାଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଉଠାଯାଇଛି ।
ତେବେ ଶାନ୍ତିଙ୍କୁ ଚେକ୍ ବୁକ୍ ମିଳି ନଥିବାରୁ ଚେକ୍ ସାହାଯ୍ୟରେ ଏତେ ଟଙ୍କା କେମିତି ଉଠାଗଲା ସେନେଇ ତାଙ୍କର ପୁଅ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇବା ସହ ବାରିପଦା ଟାଉନଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।
ଶାନ୍ତି ମୁଖୀଙ୍କ କହିବା ଅନୁଯାୟୀ କିଶାନତାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅବସର ନେବା ପରେ ତାଙ୍କର ସମସ୍ତ ଅର୍ଥ ରାଶିକୁ ସେ ଏହି ବ୍ୟାଙ୍କ ରେ ରଖିଥିଲେ । ତାଙ୍କର ପେନସନ ରାଶି ମଧ୍ୟ ଏହି ସେଭିଙ୍ଗସ୍ ଆକାଉଣ୍ଟକୁ ଆସିଥାଏ ।କେବଳ ପେନସନ ଟଙ୍କାକୁ ସେ ଏଟିଏମ୍ ମାଧ୍ୟମରେ ଉଠାଇଥାନ୍ତି । ତେବେ ସେ କୌଣସି ଚେକ ବହି ପାଇନଥିବା ବେଳେ ଚେକ୍ ମାଧ୍ୟମରେ ତାଙ୍କର ଜମା ରାଶିରୁ କିଏ ଏବଂ କେମିତି ୧୦ ଲକ୍ଷ ଟଙ୍କା ଉଠାଇନେଲେ ତାକୁ ନେଇ ସେ ଚିନ୍ତାରେ ।
ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଚେକ୍ ବୁକ୍ ଏବଂ ଟଙ୍କା ଉଠାଣ ସମୟର ସିସିଟିଭି ଫୁଟେଜ ବାହାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଦିଆଯାଇଛି । ତେବେ ଟଙ୍କା ଉଠାଣ ଜୁନ ମାସରେ ହୋଇଥିବା ବେଳେ ସମସ୍ତ ବିଷୟରେ ତଦନ୍ତ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ପ୍ରକୃତ ସତ୍ୟ ଖୁବ୍ ଶିଘ୍ର ଉଜାଗର ହେବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି ।
