ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝି ଜନ୍ତାରୀ ଗାଁକୁ ଗସ୍ତ କରିଥିଲେ । ଗାଁରେ ପରିସ୍ଥିତି ଅତ୍ୟନ୍ତ ଖରାପ । କେନ୍ଦୁଝର ଜିଲ୍ଲାକୁ ଦେଶରେ ସର୍ବାଧିକ 10 ହାଜର 258 କୋଟି ଟଙ୍କାର ଡିଏମଏଫ ଫଣ୍ଡ ମିଳୁଛି । କିନ୍ତୁ ଜନ୍ତାରୀ ଗାଁରେ ଲୋକଙ୍କୁ ସ୍ଵଚ୍ଛ ପିଇବା ପାଣି ଟୋପେ ମିଳୁନି । ପାଣିରେ ପୋକ ବାହାରୁଛି । ରକ୍ତହୀନତା ଏବଂ ପୁଷ୍ଟିହୀନତା ପୀଡ଼ିତ ଜୁଆଙ୍ଗ ଲୋକ । ଜୁଆଙ୍ଗ ଜନଜାତି PVTG ବର୍ଗ ଅନ୍ତର୍ଭୁକ୍ତ । ସେମାନଙ୍କୁ ସରକାରୀ ସଂରକ୍ଷଣ ଏବଂ ସାମାଜିକ ଆରକ୍ଷଣ ଦରକାର ବୋଲି କହିଛି ବିଜେପି ।
୧୧ ଜଣଙ୍କର ଜୀବନ ଗଲା । ରାଜ୍ୟ ସାରା ଚହଳ ସୃଷ୍ଟି ହେଲା । କିନ୍ତୁ ନା ଏବେ ଯାଏଁ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଦେଖା ମିଳୁଛି ନା ସ୍ଵାସ୍ଥ୍ୟ ମନ୍ତ୍ରୀ ମୁହଁ ଖୋଲୁଛନ୍ତି । ବିଭାଗୀୟ ସଚିବ ତ କୁଆଡେ ପାତାଳି ହୋଇଯାଇଛନ୍ତି । ତେବେ କେନ୍ଦୁଝର ଜିଲ୍ଲା ସ୍ତରୀୟ ଅଫିସର ବି ଅର୍ଗସ କ୍ୟାମେରା ଦେଖିଲେ ମୁହଁ ଲୁଚାଉଛନ୍ତି
। ଥରେ ନଜର ପକାନ୍ତୁ ଏହି ଭିଜୁଆଲ ଉପରେ। ଜନ୍ତାରୀ ଗାଁର ଜୁଆଙ୍ଗଙ୍କ ମୃତ୍ୟୁ ସଂପର୍କରେ ପ୍ରଶ୍ନ ପଚାରିବାରୁ କେମିତି ଗାଡି ଛୁଟେଇ ଖସି ପଳାଉଛନ୍ତି କେନ୍ଦୁଝର ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ । ଆଉ ଅନ୍ୟ ଅଧିକାରୀଙ୍କୁ ପଚାରିଲେ କହୁଛନ୍ତି, ହାୟର ଅଫିସର ଆସିଛନ୍ତି...ଟିକେ ରୁହନ୍ତୁ । ଯାଇ ସାରିଲେ କଥା ହେବା । ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରାଉଣ୍ଡକୁ ଯାଉଥିବା ଅଫିସର ମାନେ ମୃତ୍ୟୁର କାରଣ ଖୋଜି ସମାଧାନର ବାଟ କାଢିବାକୁ ଯାଉଛନ୍ତି, ନା ଘଟଣା ଚାପି ରଫାଦଫା କରିବାର ଉଦ୍ୟମ ହେଉଛି।
ଡିଏମଏଫ ଅର୍ଥରେ ଆଦିବାସୀ ଅଞ୍ଚଳରେ ପୁଷ୍ଟିହୀନତା ଦୂର କରାଯାଉଛି ବୋଲି କେନ୍ଦୁଝର ଜିଲ୍ଲା ପ୍ରଶାସନ କହୁଛି । କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ ଓଲଟା । ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଲୋକଙ୍କ ପାଇଁ ଅପହଞ୍ଚ । ଦେଢମାସରେ ମୃତ୍ୟୁ ହୋଇଥିବା 11 ଜଣଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳିଲା ନାହିଁ । ଜନ ସାଧାରଣଙ୍କୁ ସରକାର ବିପତ୍ତିରୁ ଉଦ୍ଧାର କରନ୍ତୁ । ତୁରନ୍ତ ଜନ୍ତାରୀ ଗାଁକୁ ସରକାରୀ ଅଧିକାରୀଙ୍କୁ ପଠାଯାଉ ବୋଲି ଦାବି କରିଛି ବିଜେପି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: