କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ୧୫ବର୍ଷର ନିଜର ନାବାଳକ ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ଜନ୍ମକଲା ମା,ବାପା ଓ ସମ୍ପର୍କୀୟ । ହଠାତ କେହି ଜଣେ ଅନୁଭବ କଲେ ପିଲାଟି ବଞ୍ଚିଛି । ସ୍ଵର୍ଗଦ୍ୱାରରେ ଜୁଇରେ ପିଲାଟିକୁ ଦାହ କରିବାକୁ ପ୍ରସ୍ତୁତି ଚାଲିଥିବାବେଳେ ସତେ ଯେମିତି ଖେଳିଗଲା ଆଶାର ଏକ ଲହରୀ । ସମସ୍ତେ ଯେମିତି ହଠାତ ପ୍ରକୃତିସ୍ଥ ଓ ଚଳଚଞ୍ଚଳ ହେଇଗଲେ । ହେବେନି ବା କେମିତି । ନିରୀହ ନିଷ୍ପାପ ଛୁଆଟି ଭଲକରି ଦୁନିଆ ବି ଦେଖିନି । ଆଉ ଆଖି ବୁଝି ଦେଇଛି । କେହି ଯେମିତି ଏକଥାକୁ ବିଶ୍ୱାସ କରୁନଥିଲେ । ହେଲେ ପିଲାଟିର ବଞ୍ଚିଥିବା କଥାକୁ ସମସ୍ତେ ସହଜରେ ହଜମ କରିନେଲେ । ତାପରେ ପିଲାଟିର ସମ୍ପର୍କୀୟମାନଙ୍କୁ ଲାଗିଲା ସତେ ଯେମିତି ପିଲାଟି ହାତ ଗୋଡ ହଲାଉଛି ଆଉ ନିଶ୍ୱାସ ବି ନେଉଛି ।
ବାସ ଏଥର ଆରମ୍ଭ ହୋଇଗଲା ପିଲାଟିର ଜୀବନ ବଞ୍ଚାଇବା ପାଇଁ ଧାଁ ଦୌଡ । ସ୍ୱର୍ଗଦ୍ୱାର ଠାରୁ ସିଧା ତାକୁ ନେଇ ଆସିଲେ ପୁରୀ ମୁଖ୍ୟଚିକିତ୍ସାଳୟ । ସମସ୍ତଙ୍କ ମନରେ ଥିଲା ଯେ ପିଲାଟି ବଞ୍ଚିଯିବ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଏହି ପିଲାଟିକୁ ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଥିଲେ । ସମସ୍ତେ ଏବେ ଏକପ୍ରକାର ଭାବିବାକୁ ଲାଗିଥିଲେ ଯେ ଡାକ୍ତର ତ୍ରୁଟି କରିଛନ୍ତି ।
ହେଲେ ବିଧିର ବିଧାନ କେ କରିବ ଆନ । ସେପଟେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରୁଛନ୍ତି ଆଉ ଏପଟେ ବାପମାଙ୍କର ବୁଝୁନି ମନ । ହେଲେ କେମିତି... ଏବେ ତ ସେ ଗୋଡ଼ ହାତ ହଲାଉଥିଲା,ନିଶ୍ୱାସ ବି ନେଉଥିଲା,ସେ କେମିତି ମରି ପାରିବ ଯେ । ବାପା ମା,ସଂପର୍କୀୟଙ୍କ ସମେତ କେହି ବି ଯେମିତି ଆଉ ମାନିବାକୁ ପ୍ରସ୍ତୁତ ନଥିଲେ ଯେ ସତରେ ସେ ଆଉ ନାହିଁ ବୋଲି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବି ଦୋଷ ଲଦିବାରେ ଲାଗିଯାଇଥିଲେ । ହେଲେ ନିୟତିର ବୋଧେ ଏୟା ବିଚାର ଥିଲା ।
ଏବେ ଏମିତି ଅନୁଭବ ହେଉଛି ସତରେ ପିଲାଟି ଆଉଥରେ ବଞ୍ଚି ଯାଆନ୍ତାନି । ନିଷ୍ଠୁର ନିୟତି ବାପା ମାଆ ଙ୍କର ଖୁସିକୁ ପୁଣିଥରେ ଫେରେଇ ଦିଅନ୍ତାନି । ପୁଣିଥରେ ସେ ପରିବାରର ଲିଭିଯାଇଥିବା ହସ ଫେରି ଆସନ୍ତାନି । ଆଉ ସବୁ ଡାକ୍ତରୀ ପାଠ ଠାରୁ ଉର୍ଦ୍ଧ୍ୱରେ ଏକ ଐଶ୍ୱରୀୟ ଶକ୍ତି କାମ ଦିଅନ୍ତାନି । ହେଲେ ନା ଆଉ ମଲା ପୁଅ ଫେରିବ । ନା ତା ପରିବାରରେ ଖୁସିର ଲହର ଖେଳିବ ।