ଭୁବନେଶ୍ୱର: ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାଦ୍ଵାରା ପ୍ରଭାବିତ ହେଉଛି ପୁରା ଜୀବଜଗତ । ଏବେଠୁ ସତର୍କ ନହେଲେ ଲୋପ ପାଇଯିବ ମୂଲ୍ୟବାନ ବୃକ୍ଷ । ଚିନ୍ତା ପ୍ରକଟ କରିଛନ୍ତି ବୃକ୍ଷ ପ୍ରେମୀ । ଏକ ରିପୋର୍ଟ ଅନୁସାରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ପ୍ରାୟତଃ 32 ପ୍ରକାର ଉଦ୍ଭିଦ ଅତି ସଙ୍କଟଜନକ ସ୍ଥିତିରେ ରହିଛି । ଏହାସହ ଜିଇଁବା ପାଇଁ ୪୮ ପ୍ରକାର ଉଦ୍ଭିଦ ସଂଘର୍ଷ କରୁଛନ୍ତି । ରାଜ୍ୟ ଜୈବବିବିଧତା ବୋର୍ଡ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ରାଜ୍ୟରେ ସମୁଦାୟ ୫,୩୭୪ ଉଦ୍ଭିଦ ମଧ୍ୟରୁ 158 ପ୍ରଜାତିର ଉଦ୍ଭିଦଙ୍କ ଅବସ୍ଥା ଖରାପ ରହିଛି । ସେଥି ମଧ୍ୟରୁ ୩୨ ପ୍ରକାର ଉଦ୍ଭିଦ ଲୋପ ପାଇବାକୁ ବସିଲାଣି । ଲୋଧା, ଅଶୋକ , ଏରିଆ ମେଘାସିନି, ଏନସିସ୍ , ହାବିନାରିଆ ପାଣିଗ୍ରାହିଆନା, ତିଳେଇ, ଅରଗୁଣା ସାଇକସ୍ ନୟାଗଡ଼ ଏନ୍ସିସ୍ , ପାତାଳ ଗରୁଡ ଇତ୍ୟାଦି ଗଛ ସବୁ ଏବେ ଓଡ଼ିଶା ଜଙ୍ଗଲରେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିଗଲେଣି ।
ସେହିପରି ବିଡଙ୍ଗ, ବାଇବିଡଙ୍ଗ ଭଳି ୪୮ ପ୍ରକାର ବୃକ୍ଷଲତା ଏବେ ସଙ୍କଟାପନ୍ନ ଅବସ୍ଥାକୁ ଆସିଗଲେଣି । ପ୍ରାୟତଃ ୪୧ ପ୍ରକାର ଔଷଧୀୟ ଉଦ୍ଭିଦଙ୍କ ସ୍ଥିତି ଏକପ୍ରକାର ଅଦୃଶ୍ୟ ହେବାକୁ ବସିଲାଣି । ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଥିବା ଜୈବବିବିଧତାର ଠିକ ରୂପରେ ସୁରକ୍ଷା ଓ ସଂରକ୍ଷଣ ହୋଇପାରୁ ନଥିବାରୁ ସଂକଟରେ ଉଦ୍ଭିଦ ଜଗତ । ଅତି ସଙ୍କଟପୂର୍ଣ ଜୈବ ସମ୍ପଦ ତଥା ଉଭିଦମାନଙ୍କର ପ୍ରକୃତ ତଥ୍ୟ , ସ୍ଥିତି , ଠିକଣା ଓ ସଂଖ୍ୟାର ଚିହ୍ନଟ କରିବା ପରେ ଗବେଷଣା କରାଯିବ । ଗବେଷଣା ପରେ ଯେଉଁ ପ୍ରଜିତର ଉଦ୍ଭିଦ ବିପଦରେ ରହିଛି ତାହାର କିପରି ଯତ୍ନ ନିଆଯିବ ତା ଉପରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।
ତେଣୁ ବର୍ତ୍ତମାନ ସମୟରେ ଜୈବ ସମ୍ପଦର ସଂରକ୍ଷଣ ଓ ସୁରକ୍ଷା ପାଇଁ ପାରମ୍ପରିକ ଜ୍ଞାନ କୌଶଳର ବ୍ୟବହାର ସମ୍ପର୍କିତ ତଥ୍ୟ ରହିବା ର ଆବଶ୍ୟକତା ରହିଛି ଏହା ସହ ଜୈବ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ଜନସଚେତନତା ଜରୁରୀ ବୋଲି ଉଦ୍ଭିଦ ବିଜ୍ଞାନୀମାନେ ମତ ଦେଇଛନ୍ତି ।