ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା 17 କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ଜଣଙ୍କୁ ଛାଡି 16 ଜଣ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ତେବେ ସମସ୍ତ ଆକ୍ରାନ୍ତ ପୁରୁଷ। ଆଜି ଚିହ୍ନଟ ହୋଇଥିବା 17 ଜଣ ପଜେଟିଭଙ୍କ ମଧ୍ୟରୁ ଗଞ୍ଜାମରୁ 12 ଜଣ, ଭଦ୍ରକ ଜିଲ୍ଲାର ତିହିଡି ବ୍ଲକରୁ 1, ରାଉରକେଲାର 1 ଓ ମୟୂରଭଞ୍ଜରୁ 3 ଜଣ। ରାଉରକେଲାର ଆକ୍ରାନ୍ତ ଜଣଙ୍କ କଣ୍ଟେନମେଣ୍ଟ ଅଞ୍ଚଳର। ତାଙ୍କ ବ୍ୟତୀତ ଅନ୍ୟ 16 ଜଣ ସୁରତ ଫେରନ୍ତା। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ରାଜ୍ୟରେ ମୋଟ 287 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 222 ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ 2 ଜଣ ପ୍ରାଣ ହରାଇଛନ୍ତି।
