ଇଶ୍ୱର କିଏ, ତାଙ୍କ ଘର କୋଉ ଟାଉନରେ ?
ସିଏ ଗାଁରେ ରୁହନ୍ତି କି ଆମେରିକାରେ ?
ଏମିତି ଉଦ୍ଭଟ ପ୍ରଶ୍ନ କରିବେ ଯେ, ତମୁକୁ ଚଟକଣାଟିଏ ମାରିଦେବାକୁ ଇଚ୍ଛା ହେବ।
ସେମିତି କିଛି ଗାଲୁଆ ମଣିଷଙ୍କୁ ଆମେ ଆଜି ୨ଟି ଘଟଣାକୁ ଯୋଡିଯାଡି କହିବୁ। ବୁଝିବା ଲୋକେ ଠିକ୍ ବୁଝିବେ।
କାଲି ସଞ୍ଜବେଳେ ରାଜଧାନୀ ଭୁବନେଶ୍ୱରର ସତ୍ୟ ବିହାର ଅଞ୍ଚଳରେ ୪ଟା କୁକୁରଙ୍କୁ ଗାଡି ଚଢାଇ ମାରିଦେଲା ଜଣେ ଜହ୍ଲାଦ୍। ମଲା କୁକୁର ଛୁଆଗୁଡାଙ୍କ ଶବ ପାଖରେ ମା’ କୁକୁରଟି କାନ୍ଦୁଣୁ ମାନ୍ଦୁଣୁ ହୋଇ ମାଟି ଚାଟି ପକାଉଥାଏ। ଦେଖିଲେ ପଥର ଛାତି ବି ତରଳିଯିବ। ହେଲେ ସେ ଜହ୍ଲାଦ ଲୋକର ହୃଦୟ ନ ଥିଲା। ତା ଭିତରେ ରାବଣ ବିଜେ କରିଥିଲା।
ଆଜିକାଲି ମଣିଷ ପସନ୍ଦ ଏବଂ ଫ୍ୟାସନ ପାଇଁ କୁକୁର ରଖନ୍ତି । ପାଳନ୍ତି, ପୋଷନ୍ତି ହେଲେ ଦରକାର ନ ପଡିଲେ ଏଇ ପ୍ରଜାତିକୁ ଭାରି ଘୃଣା କରନ୍ତି। ଏ ଆମ ମଣିଷର ବିକୃତ ଚରିତ୍ର ।
୨ୟ ଘଟଣାଟି କିନ୍ତୁ ଆପଣଙ୍କୁ ମଣିଷ ଦହରେ ରାମଙ୍କ ଅବସ୍ଥିତିକୁ ଦର୍ଶାଇଦେବ। ଦେଶୀ ଘଟଣା ନୁହେଁ ଏଇଟା ଗୋଟେ ବିଦେଶୀ ଘଟଣା। ଆମେରିକା କାଲିଫର୍ଣ୍ଣିଆ ସହରର। ଏକ ବିରାଟ ଭାଲୁ କବଳରୁ ନିଜ ପୋଷା କୁକୁରକୁ ଉଦ୍ଧାର କରିବା ପାଇଁ ଜଣେ ୧୭ ବର୍ଷୀୟ ନାବାଳିକା ମରଣ ସହ ଲଢିଲେ। ଶେଷରେ ଭାଲୁ ମୁହଁରୁ କୁକୁରକୁ ଉଦ୍ଧାର କଲେ। ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ବି ହେଲେ।
ଭିଡିଓ ଫୁଟେଜରେ ଏକ ବଡ଼ ବାଦାମୀ ରଙ୍ଗର ଭାଲୁ ଏକ ଘରର କାନ୍ଥ ପାର୍ଶ୍ୱରେ ତା’ର ଦୁଇଟି ଛୁଆ ସହିତ ବୁଲୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ, ଏକ ବଡ କଳା କୁକୁର ଏବଂ ପାଖରେ ଥିବା ଦୁଇଟି ପୋଷା କୁକୁର ସେମାନଙ୍କୁ ଘଉଡାଇବା ପାଇଁ ଭୁକୁଥିଲେ। ମା ଭାଲୁଟି ଗୋଟିଏ କୁକୁର ଉପରେ ଆକ୍ରମଣ କଲା। ଠିକ୍ ସେହି ସମୟରେ, ଯୁବତୀ ଜଣକ ଦୌଡି ଆସି ମା ଭାଲୁକୁ କାନ୍ଥକୁ ଠେଲି ସଂଘର୍ଷ ଆରମ୍ଭ କଲେ। କୁକୁରଟାର ଜୀବନ ବଞ୍ଚିଗଲା। ଯାହାକୁ ଶୁଣି ଆପଣ ବି ସାବାସ୍ ବୋଲି କହିବେ।
ବାସ୍, ଏଇ ଦୁଇ ଘଟଣାରୁ ଆପଣ କ’ଣ ଶିଖିଲେ କୁହନ୍ତୁ ତ ?
ଭଗବାନ ପ୍ରତ୍ୟେକ ମଣିଷକୁ ପୃଥିବୀକୁ ଛାଡିଛନ୍ତି କିଛି ଭଲ କାମପାଇଁ। ଯୋଉ ମଣିଷ ଭଲ କାମ କରିବ ସିଏ ରାମ ରୂପେ ପଦବାଚ୍ୟ ହେବ ଆଉ ଯିଏ ଉତ୍ପାତ ହେବ ଲୋକେ ତାକୁ ରାବଣ କହିବେ। ଅର୍ଥାତ୍ ଭଗବାନ ଆମେରିକାରେ କି ଇଣ୍ଡିଆରେ ରୁହନ୍ତି ସେ କଥା ଭାବିବା ଛାଡନ୍ତୁ। ନିଜ ଭିତରୁ ଭଗବାନଙ୍କୁ ଆବିଷ୍କାର କରିବାକୁ ଚେଷ୍ଟା କରନ୍ତୁ।