ଭୁବନେଶ୍ୱର: ରାଜ୍ୟରେ ପ୍ରକୋପ ଦେଖାଇଲା ପଶ୍ଚିମା ଝଡ଼ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ସହ କୁଆପଥର ବର୍ଷା । ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ଘଡ଼ଘଡ଼ି ପାଇଁ ଠପ ହୋଇଯାଇଥିଲା ଜୀବନ ଯାତ୍ରା। ତେବେ ସବୁଠୁ ଅଧିକ କ୍ଷତି ଘଟାଇଛି ବଜ୍ରପାତ ଓ ପବନ । ରାୟଗଡ଼ା କାଶୀପୁର ବ୍ଲକରେ କଜାଙ୍କଣା ଗାଁର ୨ ମହିଳା ବଜ୍ରପାତରେ ଗୁରୁତର ହୋଇଥିବା ବେଳେ ନୀଳଗିରି ଅଯୋଧ୍ୟା ପ୍ରତାପପୁର ଗାଁରେ ୧୩ ଗୋରୁଙ୍କ ମୃତ୍ୟୁ ହୋଇଛି । ସେହିପରି ପବନ ଯୋଗୁଁ ଅନେକ ସ୍ଥାନରେ ଘର, ଇଲେକ୍ଟ୍ରି ଖୁଣ୍ଟି ଓ ଗଛ ଭାଙ୍ଗିଛି । ଟ୍ବିନ ସିଟିରେ ମଧ୍ୟ ଅନୁଭୂତ ହୋଇଛି ପଶ୍ଚିମା ଝଡ଼ର ପ୍ରଭାବ । ସଂଧ୍ୟାରେ କଟକ, ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି । ପୁରୀରେ ମଧ୍ୟ ପ୍ରବଳ ଝଡ଼ ତୋଫାନ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି
ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆଜି ମଧ୍ୟ ପୂରା ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ । ବର୍ଷା ସହ ବଜ୍ରାପାତର ଆଶଙ୍କା ନେଇ ସମସ୍ତ ଜିଲ୍ଲାରେ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଉପକୂଳ ଓଡ଼ିଶାରେ ବଜ୍ରାପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ୧୭ ଜିଲ୍ଲାରେ ପବନର ପ୍ରଭାବ ରହିବା ସହ ଅନ୍ୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୦ ତାରିଖ ବେଳେକୁ ପଶ୍ଚିମା ଝଡ଼ର ପ୍ରଭାବ କମିବ । ଏଥିସହ ୨୧ ତାରିଖ ପରଠାରୁ ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ।
ଦେଖନ୍ତୁ ଭିଡିଓ : ବାଲେଶ୍ୱରରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି