2022 ଗୃହ ବିଭାଗର ଶ୍ୱେତପତ୍ରରେ ଚିନ୍ତାଜନକ ଚିତ୍ର ଆସିଛି ସାମ୍ନାକୁ ।
- ଅପରାଧୀ ଚରା ଭୂଇଁ ପାଲଟିଛି ଓଡିଶା
- ଅପରାଧ ଦମନରେ ଫେଲ ମାରିଛନ୍ତି ରାଜ୍ୟ ସରକାର
- ରାଜ୍ୟରେ ହେଉଛି ପ୍ରତି ୨ ଘଣ୍ଟାରେ ଗୋଟିଏ ଦୁଷ୍କର୍ମ
- ବଢୁଛି ଅପରାଧ, ଚାର୍ଜ ସିଟ ଦେଇପାରୁନି ପୋଲିସ
ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଗାଁ ଠୁ ବିଧାନସଭା ଯାଏଁ ଆଇନଶୃଙ୍ଖଳାକୁ ନେଇ ଝଡ଼ ଉଠିଥିବା ବେଳେ ପ୍ରକାଶ ପାଇଛି ଗୃହ ବିଭାଗର ୨୦୨୨ ଶ୍ୱେତ ପତ୍ର । ଯାହାକି ରାଜ୍ୟ ସରକାରଙ୍କ ପରିବାପଣିଆକୁ ପଦାରେ ପକାଇଛି । ଥରେ ନଜର ପକାନ୍ତୁ ଶ୍ୱେତପତ୍ରରେ ପ୍ରକାଶ ପାଇଥିବା ଏହି ଉଦବେଗ ଜନକ ତଥ୍ୟ ଗୁଡ଼ିକ ଉପରେ । ୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ୧ ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୨ ମସିହାରେ ୨୨,୭୭୦ଟି ମାମଲା ବୃଦ୍ଧି ପାଇ ଏହି ସଂଖ୍ୟା ୧ ଲକ୍ଷ ୭୮ହଜାର ୧୯୦ରେ ପହଞ୍ଚିଛି । ସରକାରୀ ତଥ୍ୟ ଅନୁସାରେ ୨୦୨୨ରେ ୩୧୩୫ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅର୍ଥାତ ଦୈନିକ ୮ରୁ ୯ ଜଣ ଦୁଷ୍କର୍ମ ମାମଲାର ଶିକାର ହେଉଛନ୍ତି । ମାନେ ରାଜ୍ୟରେ ପ୍ରତି ଦୁଇ ରୁ ଅଢେଇ ଘଣ୍ଟା ମଧ୍ୟରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଏଥି ମଧ୍ୟରୁ ତଦନ୍ତକାରୀ ସଂସ୍ଥା ୨ ହଜାର ୨୩୭ ମାମଲାରେ ହିଁ ଚାର୍ଜସିଟ୍ ଦାଖଲ କରିପାରିଛନ୍ତି । ବାକି କେସ ଗୁଡ଼ିକରେ ମହିଳାଙ୍କୁ ନ୍ୟାୟ ଦିଆଯାଇପାରିନାହିଁ ।
ହତ୍ୟା ଅପରାଧକୁ ନେଇ ମଧ୍ୟ ଶ୍ୱେତପତ୍ରରୁ ହୋସ୍ ଉଡାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ୨୦୨୨ରେ ୧ ହଜାର ୩୦୧ଟି ହତ୍ୟା ହୋଇଛି । ଅର୍ଥାତ ଦୈନିକ ୧୦ରୁ ଉର୍ଦ୍ଧ ହତ୍ୟା ଘଟଣା ଘଟୁଛି । ଆଉ ମାତ୍ର ୬୪୦ଟି ମାମଲାରେ ଚାର୍ଜସିଟ ଦାଖଲ କରିପାରିଛି ପୋଲିସ । ବିଧାନସଭାରେ ମଧ୍ୟ ଶ୍ୱେତପତ୍ରର ତଥ୍ୟକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରିଛନ୍ତି ବିରୋଧୀ ।
ସେହିପରି ୨୦୨୨ରେ ୬୧୪ଟି ଡକାୟତି, ୨୯୫୪ଟି ଲୁଣ୍ଠନ, ୧୪ ହଜାର ୫୭୩ଟି ଚୋରୀ, ୫ ହଜାର ୪୬ଟି ଠକେଇ, ୧ ହଜାର ୯୮୩ଟି ସାଇବର ଅପରାଧ ମାମଲା ହୋଇଛି । ତେବେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରାଧ ମାମଲା ଗୁଡ଼ିକ ମଧ୍ୟରୁ ୧ ଲକ୍ଷ ୬୯ ହଜାର ୭୩୫ଟି ମାମଲା ସତ ହୋଇଥିଲା ବେଳେ ତାହା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇପାରିଛି । କିନ୍ତୁ ସେପଟେ ୨୦୨୨ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରି ନିଜ ପିଠି ନିଜେ ଥାପୁଡ଼ଉଛନ୍ତି ରାଜ୍ୟ ସରକାର ।
ଆହୁରି ପଢନ୍ତୁ ଓଡିଶା ଖବର...