ପୁରୀ: ଜାନୁଆରୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ଏସଓପିରେ ପରିବର୍ତ୍ତନ କରାଯାଇଛି । ହେଲେ ୨୧ ଜାନୁଆରୀ ଯାଏ ପୂର୍ବ ଏସଓପି ଜାରି ରହିବ । ଏହାସହ ପୁରୀବାସୀଙ୍କ ପାଇଁ ସକାଳ ୬ଟାରୁ ଦର୍ଶନ ସୁବିଧା ଦିଆଯିବ ।
ଧିରେ ଧିରେ କରୋନା କଟକଣା ହଟାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ହୋଇଛି ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କ୍ରିଷନ କୂୁମାର ।
ସୂଚନାନୁସାରେ, ଦୀର୍ଘଦିନ ହେବ କରୋନା ମହାମାରୀ ପାଇଁ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ହେଲେ ରାଜ୍ୟର କରୋନା ସ୍ଥିତି ଟିକେ ସ୍ୱଭାବିକ ହେବା ପରେ ଡିସେମ୍ବର ୨୩ ତାରିଖରୁ ମହାପ୍ରଭୂଙ୍କୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ । ହେଲେ କୋଭିଡ କଟକଣା ଭିତରେ ସମସ୍ତ ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇ ନଥିଲା । ଯେଉଁମାନେ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଉଥିଲେ ସେହିମାନଙ୍କୁ କେବଳ ଦର୍ଶନର ସୁବିଧା ମିଳୁଥିଲା । ହେଲେ ଏନେଇ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ କୋଭିଡ୍ ଟେଷ୍ଟ କରି ମହାପ୍ରଭୂଙ୍କୁ ଦର୍ଶନ କରିବା ସମ୍ଭବ ହୋଇପାରୁ ନଥିଲା ।