
ଅର୍ଗସ ବ୍ୟୁରୋ : ରାଜଧାନୀ ଭୁବନେଶ୍ଵରରେ କରୋନା ସ୍ଥିତି ସଙ୍ଗୀନ। ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ଆଜି ରାଜଧାନୀରୁ 25 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 23 ଜଣ ସ୍ଥାନୀୟ ସଂକ୍ରମିତ ଓ 2 ଜଣ କ୍ଵାରେଣ୍ଟାଇନ ସେଣ୍ଟର। ଯାହାକି ଏବେ ରାଜଧାନୀବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ୨୩ଟି ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରେ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ଅଞ୍ଚଳରୁ ୫ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୨ବର୍ଷ, ୨୬ବର୍ଷ, ୨୮ବର୍ଷ, ୪୫ବର୍ଷ ଓ ୨୩ବର୍ଷ ରହିଛି। ସେମାନେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏଥିସହ ମଞ୍ଚେଶ୍ୱର ହାଇସ୍କୁଲ ନିକଟସ୍ଥ ଚକେଇସିଆଣି ଅଞ୍ଚଳରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ମଧ୍ୟ ଦୁଇଟି କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ସାମନ୍ତରାପୁର ନୂଆଗାଁ ପେଟ୍ରୋଲ ପମ୍ପ ଅଞ୍ଚଳରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନ୍ ସେଣ୍ଟରର ସେବା ଯୋଗାଣକାରୀ ରହିଛନ୍ତି।
ପାର୍ସପୋର୍ଟ ଅଫିସ୍ ବାଲିତୋଟାସାହି ବସ୍ତି ଅଞ୍ଚଳରୁ ୪ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍ପିଟାଲ୍ର ଦୁଇଜଣ ମହିଳା କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ଅଶୋକ ନଗର ଜନପଥ ଟାଓ୍ଵାର ଅଞ୍ଚଳରୁ ଜଣେ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ଅଞ୍ଚଳରୁ ଜଣେ, ସରକାରୀ ହସ୍ପିଟାଲ୍ର ଜଣେ କର୍ମଚାରୀ, ଏମ୍-୩ ମାର୍କେଟ ନୟାପଲ୍ଲୀ ଅଞ୍ଚଳରୁ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ମହିଳା ଆକ୍ରାନ୍ତ ଜଣକ ଏକ ଘରୋଇ ହସ୍ପିଟାଲ୍ର କର୍ମଚାରୀ ରହିଛନ୍ତି।
ହୋମ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମହିଳା କରୋନା ଆକ୍ରାନ୍ତ ରହିଛନ୍ତି। ସେ କୋଲକାତା ଫେରନ୍ତା। ସେ ଏକ ଘରୋଇ ହସ୍ପିଟାଲ୍ର କର୍ମଚାରୀ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ରେଳବାଇ କର୍ମଚାରୀ। ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ।
