ସାହିକୁ ରାସ୍ତା ନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ୧କିଲୋମିଟର ରାସ୍ତାରେ ବୋହି ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡିଥାଏ । ସେହିଭଳି ସ୍କୁଲ ପିଲାମାନେ ମଧ୍ୟ ଜଙ୍ଗଲ ରାସ୍ତାରେ ଚାଲି ଚାଲି ସାହି ନିକଟ ବନ୍ଦା ଗାଁ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥାନ୍ତି । ସାହିରେ ବିଦ୍ୟୁତ କନେକସନ ନଥିବାବେଳେ ସରକାର ସୌରଶକ୍ତି ମାଧ୍ୟମରେ ଗାଁକୁ ବିଦ୍ୟୁତ ଯୋଗାଣ କରିଥିଲେ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଖରାପ ହୋଇ ପଡିରହିଛି। ଫଳରେ ଲୋକେ ରାତିରେ ଅନ୍ଧାରରେ ଜୀବନ ବିତାଉଥିବା ବେଳେ ପିଲା ମାନେ ପାଠପଢିବାରେ ବିଶେଷ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।
ହଳଦୀପାଣି ସାହିରେ ପିଇବା ପାଣି ର କୌଣସି ସୁବିଧା ନାହିଁ । ସାହିରେ ରହିଛି କେବଳ ଗୋଟିଏ ନଳକୂପ। ସେଥିରୁ ଗୋଳିଆ ପାଣି ବାହାରୁଥିବାରୁ ତାହା ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ । ତେଣୁ ବାଧ୍ୟ ହୋଇ ଲୋକେ ଏକ କିଲୋମିଟର ଦୂରରେ ଥିବା ରମେଇ ନାଳରୁ ଚୁଆ ଖୋଳି ବାହୁଙ୍ଗିଭାର ଓ ଗରା ସାହାଯ୍ୟ ରେ ପାନୀୟ ଜଳ ସଂଗ୍ରହ କରୁଛନ୍ତି ।
ଏ ସମ୍ପର୍କରେ ତେଲକୋଇ ବିଡିଓଙ୍କୁ ପଚାରିବାରୁ ଏବିଷୟରେ ଆମେ ଆପଣଙ୍କ ଠାରୁ ଜାଣିଲୁ । ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଙ୍କୁ ପଠାଇ ପାନୀୟଜଳ ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ।
ସ୍ବାଧୀନତାର ୭୫ ବର୍ଷ ପରେ ବି ସମସ୍ତ ସାଧାରଣ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର କରମଙ୍ଗୀ ପଞ୍ଚାୟତ ର ଅଲୁଣି ଗାଁ ଓ ହଳଦୀପାଣି ଗାଁ ଲୋକେ । ତେବେ ଏଠାରେ ବଡ଼ ପ୍ରଶ୍ନ କେବେ ଏମାନଙ୍କୁ ମିଳିବ ସ୍ୱଚ୍ଛ ପିଇବା ପାଣି , ବିଦ୍ୟୁତ ଓ ଭଲ ରାସ୍ତା ।