ତୁରାମଙ୍କୁ ମାଡ଼ ମାରାଯାଇ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ଡିସେମ୍ବର 21ରେ ସାଂଘାତିକ ଅଭିଯୋଗ କରିଥିଲେ ପତ୍ନୀ ଚିଲାମ। ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ତେବେ ଆଇନଜୀବୀ ଆଶିଷ ମିଶ୍ର ଚିଲାମଙ୍କୁ ଭେଟି ହାଇକୋର୍ଟରେ ମାମଲା କରିବା ପରେ ବାଧ୍ୟ ହୋଇ ଗିରଫ କରିଛି ମୟୂରଭଞ୍ଜ ଯଶୀପୁର ଥାନା ପୋଲିସ।
ଶିମିଳିପାଳ ଜେନାବିଲ ରେଞ୍ଜରେ ଶିକାରୀମାନେ ହତ୍ୟା କରି ଦାନ୍ତ କାଟି ନେଇଥିବା ଏକ ହାତୀର ମୃତଦେହକୁ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ନଦୀରେ ଭସାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଡିସେମ୍ବର 11ରେ ଏ ଘଟଣା ଜଣାପଡ଼ିବା ପରେ ଜେନାବିଲ ରେଞ୍ଜର ଶିବଶଙ୍କର ସାମଲ, ଗରାଣ୍ଡିଆ ବିଟ୍ ଫରେଷ୍ଟର ଚନ୍ଦ୍ରଭାନୁ ଵେହେରା, ଏସ୍.ଟି.ପି.ଏଫ୍ କ୍ୟାମ୍ପ କର୍ମଚାରୀ ବିନୋଦ ଦାସଙ୍କୁ ନିଲମ୍ବନ ସହ ଗିରଫ କରାଯାଇଥିଲା। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ଗରାଣ୍ତିଆ ବିଟର ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତି। ତେବେ ସେହିଦିନ ତୁରାମ ବିଷ ପିଇଥିବା ଖବର ଆସିଥିଲା ତାଙ୍କୁ ପ୍ରଥମେ କରଞ୍ଜିଆ ହସପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା।
ଡିସେମ୍ବର 16 ତାରିଖରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ତୁରାମ । ତେବେ ମୃତ୍ୟୁ ପୂର୍ବରୁ ତୁରାମ ପତ୍ନୀଙ୍କୁ କହିଥିଲେ ବିଷ ପିଇବା ପଛର ସତ । ଅଭିଯୁକ୍ତ ବନ କର୍ମଚାରୀ ତୁରାମଙ୍କୁ ରାସ୍ତାରୁ ହଟାଇବାକୁ ମାଡ ମାରିବା ପରେ ଜବରଦସ୍ତ ବିଷ ଦେଇଥିବା ଅଭିଯୋଗ କରିଥିଲେ ତୁରାମଙ୍କ ସ୍ତ୍ରୀ। ତୁରାମ ହତ୍ୟା ମାମଲା ଖୋଲିଦେଇଛି ଶିମିଳିପାଳରେ ବନ୍ୟଜନ୍ତୁ ଶିକାର ପଛରେ ବନ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତିର ଗୁମର। ଏବେ ପ୍ରଶ୍ନ ଠିକ୍ ବାଟରେ ତଦନ୍ତ କରାଯାଇ ଦୋଷୀଙ୍କୁ ମିଳିବ ତ ଦଣ୍ଡ । ନା ପୁଣି ଅଭିଯୁକ୍ତଙ୍କୁ ଖସାଇବାକୁ ହେବ ଷଡ଼ଯନ୍ତ୍ର।