
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ‘ଗରିବ କଲ୍ୟାଣ ରୋଜଗାର’ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିହାର ଖଗଡ଼ିଆ ଜିଲ୍ଲା ଡେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରିଛନ୍ତି ମୋଦି । ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି, ଏଥିପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର । ମୋଦି କହିଛନ୍ତି ଲଦାଖରେ ଯେଉଁ ବୀର ବଳିଦାନ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ବିହାର ରେଜିମେଣ୍ଟର ଯବାନ ରହିଛନ୍ତି । ଏଥିପାଇଁ ବିହାର ଗର୍ବିତ । ବିହାରର ଯେଉଁ ବୀର ସହିଦ ହୋଇଛନ୍ତି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୋଦି ।
‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ୬ ରାଜ୍ୟର ୧୧୬ ଜିଲ୍ଲାରେ ଚାଲିବ । ଯେଉଁସବୁ ଜିଲ୍ଲାରେ ୨୫ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଅଛନ୍ତି ସେହିସବୁ ଜିଲ୍ଲାରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ । ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ତେବେ ଏହି ଅଭିଯାନରେ ଓଡ଼ିଶାର ୪ ଜିଲ୍ଲା ଯୋଡ଼ି ହୋଇଛି ।
ଓଡ଼ିଶାରୁ ବାଲେଶ୍ୱର, ଭଦ୍ରକ ଗଞ୍ଜାମ ଓ ବଲାଙ୍ଗିରକୁ ଏହି ଯୋଜାନରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଆଜି ଏହି ଅଭିଯାନର ଶୁଭାରମ୍ଭ ବେଳେ ପ୍ରବାସୀ ଶ୍ରମିକମାନେ ମୋଦିଙ୍କ ଅଭିଭାଷଣ ଶୁଣିଥିଲେ । ଏହାସହ ବାଲେଶ୍ୱର ଜିଲ୍ଲାର ପାର୍ବତୀପୁର, ଗଣ୍ଡିବେଡ଼, ଖଇରା ସମେତ ବାଲେଶ୍ୱରର ସମସ୍ତ ପ୍ରବାସୀ ଶ୍ରମିକଙ୍କ ସହ ମୋଦିଙ୍କ ଅଭିଭାଷଣ ଦେଖିଥିଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ ।
