ତାକୁ ପ୍ରଥମେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଆଣି ଡାକ୍ତରଙ୍କୁ ଦେଖାଇ ଔଷଧ ଖୁଆଇଥିଲେ ତଥାପି ଶିଶୁର କୌଣସି ଉନ୍ନତି ନଆସିବାରୁ ଆଶା କର୍ମୀଙ୍କ ସହଯୋଗରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରାୟ ୩ ଥର ଆଣି ଚିକିତ୍ସା କରାଇଥିଲେ ମଧ୍ୟ ଶିଶୁର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଆସିବାରୁ ଶେଷରେ ପୁଣି ଗତକାଲି ତେନ୍ତୁଳିଖୁଣ୍ଟି ମେଡିକାଲ କୁ ଆଣିଥିଲେ ।
କିନ୍ତୁ ମେଡିକାଲକୁ ଆସିବା ପୂର୍ବରୁ ଶିଶୁ ପୁତ୍ର ଟିର ମୃତ୍ୟୁ ଘଟିଥିବା ଡକ୍ଟର ପ୍ରକାଶ କରିଛନ୍ତି । ତେବେ ଶିଶୁ ପୁତ୍ରର ପେଟ ଓ ଛାତିରେ ଚିହ୍ନ ଦେଖି ତା କାରଣ ବୁଝିବା ସମୟରେ ଶିଶୁର ଦେହ ଭଲ ନ ହେବାରୁ କିଛି ଦିନ ପୂର୍ବେ ଶିଶୁର ପେଟ ଓ ଛାତିରେ ପ୍ରାୟ ୩୦ରୁ ଉର୍ଦ୍ଧ ଚେଙ୍କ ଦିଆଯାଇଥିବା ନେଇ ଡାକ୍ତରଙ୍କ ନିକଟରେ ସ୍ୱୀକାର କରିଥିଲେ ।
ତେବେ ଶିଶୁର ଚେଙ୍କ ଯୋଗୁଁ ମୃତ୍ୟୁ ଘଟିଲା ନା ଅନ୍ୟ କୌଣସି ରୋଗ ଯୋଗୁଁ ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ। ଏପରି ବହୁ ଘଟଣା ଗ୍ରାମାଞ୍ଚଳରେ ଘଟୁଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରୁ ନାହିଁ । ଅନ୍ୟ ପକ୍ଷରେ ଆଶା କର୍ମୀ କହିଛନ୍ତି ଚେଙ୍କ ଦେବା ପାଇଁ ସେ ବାରମ୍ବାର ପରିବାର ଲୋକଙ୍କୁ ମନା କରିଛନ୍ତି ତଥାପି ପରିବାର ଲୋକେ କଥା ନଶୁଣି ଲୁଚି ଛପି ଶିଶୁ ପୁତ୍ରକୁ ଚେଙ୍କ ଦେଇଥିଲେ ବୋଲି କହିଛନ୍ତି ସେ ।
ଗୋଟିଏ ପଟେ ଶିଶୁକୁ ଚେଙ୍କ ଦିଆଯାଇଥିବା ନେଇ ପରିବାର ଲୋକ ଡାକ୍ତରଙ୍କ ନିକଟରେ ସ୍ୱୀକାର କରିଥିବା ନେଇ ତେନ୍ତୁଳିଖୁଣ୍ଟି ଡକ୍ଟର ସଚିକାନ୍ତ ଲେଙ୍କା ପ୍ରକାଶ କରିଥିବା ବେଳେ କିନ୍ତୁ ଅନ୍ୟପଟେ ଶିଶୁକୁ ଗରମ ତେଲରେ ମାଲିସ କରିବା ସମୟରେ ଏଭଳି ହୋଇଥିବା ତାଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି । ତେବେ ନିଜ ଏକ ମାତ୍ର ପୁତ୍ରକୁ ହରାଇ ଦୁଃଖରେ ଭାଙ୍ଗିପଡିଥିବା ହେତୁ ଘଟଣା ସ୍ଥଳକୁ ଶିଶୁର ମାତା ପିତା ଆସିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେଣୁ ଘଟଣା ବାବଦରେ ସ୍ୱଷ୍ଟ ସୂଚନା ମିଳିପାରିନାହିଁ । ତେବେ ନବରଙ୍ଗପୁର ଜିଲ୍ଲାରେ ବାରମ୍ବାର ଛୋଟ ପିଲାଙ୍କୁ ଚେଙ୍କ ଚିକିତ୍ସା କରାଯାଉଥିବା ନେଇ ପ୍ରଶାସନ ଏହାକୁ ବନ୍ଦ କରିବାକୁ ଅନେକ ସଚେତନତା କାର୍ୟ୍ୟକ୍ରମ କରିଥିଲେ ମଧ୍ୟ ଏଯାଏଁ ଏହାକୁ ରୋକାଯାଇ ପାରିଲା ନାହିଁ ।