ଭୁବନେଶ୍ୱର: ବରଗଡ ଜିଲ୍ଲାର ବିକାଶରେ ଏକ ନୂତନ ଇତିହାସ ଯୋଡ଼ି ହୋଇଛି । ବରଗଡ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଉଦ୍ୟମ ଯୋଗୁଁ ଵରଗଡ-ବଲାଙ୍ଗୀର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ 414 କୋଟି 24 ଲକ୍ଷ ଟଙ୍କାର ଏକ ବୃହତ ପ୍ରକଳ୍ପକୁ କେନ୍ଦ୍ର ସରକାର ଜୁନ 16ରେ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା କ୍ରମବର୍ଧିଷ୍ଣୁ ବରଗଡ଼, ବରପାଲି ଓ ବଲାଙ୍ଗୀର ସହରର ବିକାଶ ରେ ସହାୟକ ହେବ ।
ବରଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପୁଜାରୀ କହିଛନ୍ତି ଯେ କେନ୍ଦ୍ର ସରକାର ଅନୁମୋଦନ କରିଥିବା ପ୍ରକଳ୍ପ ଅନୁଯାୟୀ ବରଗଡ଼-ବରପାଲି ଜାତୀୟ ରାଜପଥ କୁ ଚାରି ଥାକିଆ, ବରପାଲି-ବଲାଙ୍ଗୀର ଜାତୀୟ ରାଜପଥ ର ପ୍ରଶସ୍ତି କରଣ ଏବଂ ବରଗଡ-ବଲାଙ୍ଗୀର ସମ୍ପୂର୍ଣ୍ଣ ରାଜପଥର ସୌନ୍ଦର୍ଯୀକରଣ,ଅଲୋକୀକରଣ କରାଯିବ ।
ପ୍ରକାଶ ଯୋଗ୍ୟ, ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଅର୍ଥ ବ୍ୟବସ୍ଥା କେନ୍ଦ୍ର ସରକାର ବହନ କରିଛନ୍ତି ଏବଂ ଖୁବ ଶୀଘ୍ର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ସମ୍ପୃକ୍ତ କର୍ତ୍ତୃପକ୍ଷ ଆହ୍ୱାନ କରିବେ ଏବଂ 2022 ସୁଦ୍ଧା ଏହି କାମ ଶେଷ ହେବ ବୋଲି ମାନ୍ୟବର ସାଂସଦ କହିଥିଲେ । ଏହି ବୃହତ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବାରୁ ଜିଲ୍ଲା ଵିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଏବଂ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଵିଜେପି ନେତା ସୁରେଶ୍ୱର ଶତପଥି, ଅରୁପାନନ୍ଦ ସାହୁ ,ଅଶୋକ ପଣ୍ଡା ,ରବି ନାରାୟଣ ଦାଶ, ସୁଶାନ୍ତ ମିଶ୍ର, କୁଶ କୁମ୍ଭାର,ଭରତ ବେହେରା, ସୁବ୍ରତ ହୋତା, ବିଜୟ ଦାଶ,ଅମିତ ପଣ୍ଡା ,ଦେବେଶ ଶତପଥି ,ମହେନ୍ଦ୍ର ପୁରୋହିତ ,ସୁଦାମ ମହାପାତ୍ର ,ପରୀକ୍ଷିତ ଛତର, ପିଙ୍କୁ ମେହେର ପ୍ରମୁଖ ସହଯୋଗ ଦେଇଥିଲେ ।
