ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ପିଲା ନିଖୋଜ ଘଟଣା । ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ 602 ପିଲା ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 502 ଜଣ କେବଳ ଝିଅ । 502 ଝିଅ ନିଖୋଜ ଥିବା ବେଳେ 455ଟି ମାମଲା ଦାଏର ହୋଇଛି । 455ଟି ମାମାଲା ମଧ୍ୟରୁ କେବଳ 79 ଜଣ ଝିଅଙ୍କ ସନ୍ଧାନ ମିଳିଛି । ସେହିଭଳି 100 ବାଳକଙ୍କ ମଧ୍ୟରୁ 31 ଜଣଙ୍କ ସନ୍ଧାନ ମିଳିଛି ।
ଗୃହରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ତେବେ ମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ଝିଅ ନିଖୋଜ ମାମଲାରେ ଏହି ତିନି ମାସ ମଧ୍ୟରେ 45 ସହ ମୟୁରଭଞ୍ଜ ପ୍ରଥମରେ ରହିଛି । ଅନ୍ୟପଟେ ଦେଓଗଡ଼ ଏବଂ ଖୋର୍ଦ୍ଧାରେ ପିଲା ନିଖୋଜ ଭଳି କୌଣସି ମାମଲା ନାହିଁ ବୋଲି ଜଣାପଡ଼ିଛି ।
ତେବେ 2018 ରିପୋର୍ଟ ଦେଖିଲେ ମୋଟ 2334 ଜଣ ପିଲା ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 1875 କେବଳ ଝିଅ ନିଖୋଜ ଅଛନ୍ତି । ଏନେଇ 1720ଟି ମାମଲା ରୁଜୁ ହୋଇଥିଲେ ହେଁ 854 ଜଣଙ୍କୁ ଠାବ କରାଯାଇପାରିଛି । ସେପଟେ ମୋଟ 459 ଜଣ ପୁଅ ନିଖୋଜ ଥିବା ବେଳେ 396ଟି ମାମଲା ଥାନାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 285 ଜଣଙ୍କ ସନ୍ଧାନ ମିଳିପାରିଛି ।
ଏହା ତ ଥିଲା ଏକ ବର୍ଷ ତିନି ମାସର ମନ୍ତ୍ରୀଙ୍କ ରିପୋର୍ଟ । ସେହିଭଳି 2017ରେ 1360 ଜଣ ଝିଅ ନିଖୋଜ ହୋଇଥିବା ବେଳେ 491 ପୁଅ ନିଖୋଜ ଥିଲେ । ସେମାନଙ୍କ ମଧ୍ୟରୁ 737 ଝିଅଙ୍କ ସନ୍ଧାନ ମିଳିଥିବା ବେଳେ 309 ପୁଅଙ୍କୁ ଠାବ କରିପାରିଥିଲା ପୋଲିସ୍ ।
ଗୋଟିଏ ପଟେ ପିଲାଙ୍କ ଅପପୁଷ୍ଟି ମାମଲା ସାମ୍ନାକୁ ଆସୁଥିବା ବେଳେ ଅନ୍ୟପଟେ ପିଲାଙ୍କ ନିଖୋଜ ଘଟଣା ବୃଦ୍ଧି ପାଉଛି । ତେବେ ଏନେଇ ଖୋଦ ବଭାଗୀୟ ମନ୍ତ୍ରୀଙ୍କ ରିପୋର୍ଟ ଦେଖିବା ପରେ ଦୀର୍ଘ ବର୍ଷର ଏହି ରାଜ୍ୟ ସରକାରଙ୍କ ପାରିବା ପଣିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

