ଭୁବନେଶ୍ୱର: କରୋନା ଯୁଦ୍ଧରେ ବିଜୟୀ ହେଲେ କନ୍ଧମାଳର ୮୧ ବର୍ଷୀୟ ବୃଦ୍ଧ ଗୋପିନାଥ ଡାକୁଆ । କେବଳ ୯ ଦିନରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୋପିନାଥ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ତଳ ଇନ୍ଦ୍ରଗଡ଼ର ବାସିନ୍ଦା ଗୋପିନାଥ ଡାକୁଆ ଶାରୀରିକ ଅସୁସ୍ଥତା କାରଣରୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ।
ପରେ ତାଙ୍କ ଶରୀରରେ କୋଭିଡ-୧୯ ଲକ୍ଷଣ ବୃଦ୍ଧି ପାଇଥିଲା । ୨୮ ଜୁନରେ ତାଙ୍କୁ ରାଇକିଆର ଏକ ଅସ୍ଥାୟୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଏହାପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା ।
କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋପିନାଥଙ୍କୁ ୪ ଜୁଲାଇରେ ଫୁଲବାଣୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ୮ ଜୁଲାଇରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା ଆଉ ପରେ ୧୩ ଜୁଲାଇ ଅର୍ଥାତ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୋପିନାଥ ।
ତେବେ ସୁସ୍ଥ ହେବା ପରେ ରାଜ୍ୟ ସରକର, କୋଭିଡ ହସ୍ପିଟାଲ ସମେତ ସେଠାକର ଡାକ୍ତର, କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ଗୋପିନାଥ । ଏହାସହ କୋଭିଡ ହସ୍ପିଟାଲରେ ଉତ୍ତମ ଚିକିତ୍ସା ସାଙ୍ଗକୁ ପୁଷ୍ଟିକର ଖାଦ୍ୟ ଦିଆଯାଉଥିବା କଥା ସେ କହିଛନ୍ତି । ତେବେ ଗୋପିନାଥ ଡାକୁଆ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି । କାରଣ ବୟାସାଧିକ ହେଲେ ବି କରୋନାକୁ ଜିତିବା ସମ୍ଭବ ।

