ବ୍ରହ୍ମପୁର ବାସୁଦେବ ନଗରର ଅମ୍ରିତ ପ୍ରଧାନ(୨୪) । କୋରୋନା ଆକ୍ରାନ୍ତ ହୋଇ ତାଙ୍କର ଫୁସଫୁସ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଫୁସଫୁସ ପ୍ରତିରୋପଣ କରାଗଲେ ସେ ବଞ୍ଚିପାରିବେ ବୋଲି କହିଛନ୍ତି ଡାକ୍ତର । କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି ଅମ୍ରିତ ।
ବ୍ରହ୍ମପୁର ବାସୁଦେବ ନଗରରେ ଅମ୍ରିତଙ୍କ ପୂରା ପରିବାର କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ ଚିକିତ୍ସିତ ହେଉଥିଲେ । ପରିବାରରେ ସମସ୍ତେ ସୁସ୍ଥ ହେଲେ କିନ୍ତୁ ଅମ୍ରିତଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିଲା ନାହିଁ । ତାଙ୍କର ଫୁସଫୁସ ଅଧାରୁ ଅଧିକ ନଷ୍ଟ ହୋଇଯାଇଛି । ସିଟି ସ୍କାନ କରିବାରୁ ରିପୋର୍ଟରୁ ଜଣାପଡ଼ିଛି ଯେ, ତାଙ୍କର ନିମୋନିଆ ପରେ ସେପ୍ଟିସେମିଆ ଯୋଗୁଁ ଫୁସଫୁସ ସଂକ୍ରମିତ ହୋଇ ୫୦ ପ୍ରତିଶତ ନଷ୍ଟ ହୋଇଗଲାଣି ।
ସେ ତାଙ୍କ ଘରର ଏକମାତ୍ର ପୁଅ। ସେଥିପାଇଁ ପରିବାର ଲୋକେ ତାଙ୍କ ଜୀବନ ବଞ୍ଚାଇବାରେ ଲାଗି ପଡିଛନ୍ତି। ସେ ସୁସ୍ଥ ହେବାକୁ ପାଖାପାଖି 2 ରୁ 3 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ବାପା ମା’ଙ୍କ ମୁଣ୍ଡରେ ଚଡକ ପଡିଛି । ଘର, ଢିହ, ସୁନା ଅଳଙ୍କାର ବିକିଲେ ମଧ୍ୟ ଏତେ ଟଙ୍କା ହେବ ନାହିଁ ।
ହେଲେ ଇକମୋ ଚିକିତ୍ସା ସହ ଫୁସଫୁସ ପ୍ରତିରୋପଣ କରାଗଲେ ସେ ବଞ୍ଚିପାରିବେ ବୋଲି ଡାକ୍ତର କହିଛନ୍ତି। ଏନେଇ ତାଙ୍କ ପରିବାର ଲୋକେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ସହ ଯୋଗାଯୋଗ ପରେ ସମାନଙ୍କଠାରୁ ଉତ୍ତମ ପ୍ରତିକ୍ରିୟା ମିଳିବା ପରେ ଆକ୍ରାନ୍ତଙ୍କୁ ଏବେ ଏୟାର ଲିଫ୍ଟ କରାଯାଇଛି।