ଭୂବନେଶ୍ଵର: ରାଜ୍ୟରେ ପ୍ରାକ୍-ଶୈଶବ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟରେ ମାତୃଭାଷାଭିତ୍ତିକ ପ୍ରାକଶିକ୍ଷା ଏବଂ ପିତାମାତା ଯୁକ୍ତ କାର୍ଯ୍ୟକ୍ରମ ଜରିଆରେ ଶିଶୁମାନଙ୍କ ପ୍ରାକ୍-ଶୈଶବ ଶିକ୍ଷା ଓ ଯନ୍ତ୍ର କାର୍ଯ୍ୟକର୍ମର ସଫଳ ରୁପାୟନ ପାଇଁ 2016 ମସିହାରେ ବର୍ଣ୍ଣାଡ ଭାନ୍ ଲିଡ ଫାଉଣ୍ଡେସନ୍ ସହିତ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିାଲ । ରାଜ୍ୟର 10ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ମୋଟ 7202ଟି ଅଙ୍ଗନବାଡି କେନ୍ଦ୍ରରେ ଏହା ଫଳପ୍ରଦ ହେଉଛି କି ନାହିଁ ଜାଣିବା ପାଇଁ ଏକ ମୂଲ୍ୟାଙ୍କନ ହୋଇଥିଲା। ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ, ନୂଆଦିଲ୍ଲୀର ପ୍ରାକ୍-ଶୈଶବ ବିକାଶ ଗବେଷଣା କେନ୍ଦ୍ରରେ ଏହାର ମୂଲ୍ୟାଙ୍କନ ହୋଇଥିଲା।
ର୍ଭଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏକ ବୈଠକରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗଙ୍କ ନିକଟରେ ବିଶ୍ଵବିଦ୍ୟାଳୟ ତରଫରୁ ଏକ ମୂଲ୍ୟାୟନ ରିପୋର୍ଟ ଉପସ୍ଥାପନ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାର ସଶକ୍ତିକରଣ ଦ୍ଵାରା ରାଜ୍ୟରେ ପ୍ରାକ୍-ଶୈଶବ ଶିକ୍ଷା ବ୍ୟବସ୍ଥାର ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେବା ସହ ପିତାମାତା ଓ ଆଇସିଡିଏସ୍ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଛ।. ପିଲାମାଙ୍କ କଳ୍ପନା ଶକ୍ତିର ବିକାଶ , ସାମାଜିକ ଦକ୍ଷତାର ଉନ୍ନତି, ଚାରିପଟୁ ଉପଲବ୍ଧ ସାମଗ୍ରୀରୁ ସ୍ଵଳ୍ପ ମୂଲ୍ୟରେ ଶିକ୍ଷଣୀୟ ଉପକରଣ ପ୍ରସ୍ତୁତି, ପାରମ୍ପାରିକ ଖେଳନା ତିଆରି ଏବଂ ବ୍ୟବହାରରେ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି।