ବର୍ତ୍ତମାନ ସୁଦ୍ଧା ଏହି ଦମ୍ପତି ରାଜ୍ୟ ସଂଗ୍ରହାଳୟ ସମ୍ବଲପୁର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ପଶ୍ଚିମବଙ୍ଗ ଶାନ୍ତି ନିକେତନ ରୁ ପୋଥିଗୁଡ଼ିକୁ ଦୁହେଁ ତନତନ କରି ଅନୁଧ୍ୟାନ କରିବା ସହ ତାହାର ବିଷୟବସ୍ତୁ ଉପରେ ଏକ ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରିଛନ୍ତି। ସିନିରୁଦ୍ଧ ଦାଶ ମଧ୍ୟ ମାଡ୍ରାସ୍ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିବା ସମୟରେ ପାଲି, ପ୍ରାକୃତ ଓ ସଂସ୍କୃତ ଭାଷାରେ ଲିଖିତ ତାମ୍ରଲିପି, ପଥର ଖୋଦେଇ ଲିପି ଓ ତାଳପତ୍ର ପୋଥିର ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରିଥିଲେ। ଯାହା ମାଡ୍ରାସ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ। ସେଠାରୁ ଅବସର ନେବା ପରେ ସେ ଓଡ଼ିଶା ଆସି ପତ୍ନୀଙ୍କ ସହ ମିଶି ଓଡ଼ିଆ ଲିପିର ତାଳପତ୍ର ପୋଥି ସନ୍ଧାନ କରିଥିଲେ। ଏହି ଦମ୍ପତି ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁତଗୁଡ଼ିଏ ଓଡ଼ିଆ ଲିପି ପୋଥିର ସନ୍ଧାନ କରିବା ସହ ତାହାର ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରିଛନ୍ତି। ସେହିଭଳି ରାଜ୍ୟ ବାହାରେ ମଧ୍ୟ ଏଭଳି ପୋଥିର ଅନୁସନ୍ଧାନ ଚଳାଇଛନ୍ତି। ଓଡ଼ିଶାରେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ପାଖରେ ଏଭଳି ପୁରୁଣା ପୋଥି ରହିଛି ତେବେ ତାଙ୍କୁ ଯୋଗାଯୋଗ କରିବାକୁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି।
ଅର୍ଗସ ବ୍ୟୁରୋ: ପୁରୁଣା ତାଳପତ୍ର ପୋଥି ସଂଗ୍ରହ କରୁଛନ୍ତି ଭୁବନେଶ୍ଵରର ଦମ୍ପତି। ପୋଥିକୁ ଆବିଷ୍କାର କରି ସେଥିରେ ବର୍ଣ୍ଣିତ ବିଷୟବସ୍ତୁକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଭୁବନେଶ୍ବର ଜଗନ୍ନାଥନଗରସ୍ଥିତ ମହାଦେବ ଆଭିନ୍ୟୁରେ ରହୁଥିବା ଅବସରପ୍ରାପ୍ତ ସଂସ୍କୃତ ପ୍ରଫେସର୍ ସିନିରୁଦ୍ଧ ଦାଶ ଓ ତାଙ୍କ ପତ୍ନୀ ମମତା ମିଶ୍ର। କାହିଁକି ନା ଆମକୁ ଆମ ପ୍ରାଚୀନ ଇତିହାସ, ସାହିତ୍ୟ, ସେତେବେଳର ରାଜନୀତି, ସାମାଜିକ ଚାଲିଚଳଣି, ରୀତିନୀତି ସମ୍ପର୍କରେ ଅବଗତ କରାଇଥାଏ। ବର୍ତ୍ତମାନ ଅନେକ ପୋଥି ଇତିହାସ ଗର୍ଭରେ ଲୀନ ହୋଇଯାଇଥିବା ବେଳେ ବହୁ ପୋଥି ଅନାବିଷ୍କୃତ ହୋଇ ରହିଛି। ଓଡ଼ିଶା ସମେତ ବାହାର ରାଜ୍ୟ ଓ ବିଦେଶରେ ଏସବୁ ପୋଥିର ସନ୍ଧାନ ମିଳୁଛି। ସେଭଳି ପୋଥିକୁ ଆବିଷ୍କାର କରି ସେଥିରେ ବର୍ଣ୍ଣିତ ବିଷୟବସ୍ତୁକୁ ଲୋକଲୋଚନକୁ ଆଣିବା ପାଇଁ ଭୁବନେଶ୍ବରର ଏହି ଦମ୍ପତି ଚେଷ୍ଟା ଚଳାଇଛନ୍ତି। ‘ପାଣିନି ଶିକ୍ଷା ଏବଂ ସଂସ୍କୃତି’ ଅନୁଷ୍ଠାନ ମାଧ୍ୟମରେ ସେ ନିରବଚ୍ଛିନ୍ନ ଭାବେ ଏହି ପୋଥିଗୁଡ଼ିକର ଅନୁସନ୍ଧାନ କରିବା ସହ ସଂରକ୍ଷଣ କାର୍ଯ୍ୟ କରୁଛନ୍ତି। ଏହାସହ ଦୁହେଁ ପୋଥିଗୁଡ଼ିକର ଏକ ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରୁଛନ୍ତି। ତାଙ୍କର ଏହି ଉଦ୍ୟମ ଐତିହାସିକ, ଗବେଷକ ଓ ଭବିଷ୍ୟତ ପିଢ଼ିଙ୍କୁ ସହାୟତା ହୋଇପାରିବ ଓ ଆମ ଇତିହାସକୁ ଆମେ ସଂରକ୍ଷିତ କରି ରଖିପାରିବା ବୋଲି କହିଛନ୍ତି ମମତା ମିଶ୍ର।
