ଦେଖନ୍ତୁ ଏଇ ଚିତ୍ର । କେମିତି ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ପାଠ ପଢା ଚାଲିଛି । ଅଧାଗଢା ଶ୍ରେଣୀ କୋଠରୀରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଛାତ ବଦଳରେ ମୁଣ୍ଡ ଉପରେ ଖଣ୍ଡେ ମାତ୍ର ପାଲ ଟଣା ହୋଇଛି । କେବଳ ଏତିକି ନୁହେଁ ସ୍କୁଲ ବାରଣ୍ଡାରେ ବି ପିଲା ପାଠ ପଢୁଛନ୍ତି । ସେପଟେ ରୋଷେଇ ଘର ଅଭାବରୁ ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି। ଏଭଳି ଅବ୍ୟବସ୍ଥା ଭିତରେ ଗତି କରୁଛି ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଘୁରୁଡୁଖମଣ ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୭୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୪ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଗୋଟିଏ ମାତ୍ର ଶ୍ରେଣୀ ଗୃହ ଥିବାରୁ ପାଠପଢାରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି ।
ଗୋପାଲପାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦ ଘୋଷଣା ପରେ ଘୁରୁଡୁଖମଣ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଗୋଟିଏ ଶ୍ରେଣୀ କୋଠରୀରେ ପାଠ ପଢାଇବା ସମ୍ଭବ ହେଉନି । ବାଧ୍ୟ ହୋଇ ସ୍କୁଲ ବାରଣ୍ଡା ଏବଂ ଅର୍ଦ୍ଧନିର୍ମିତ ଘର ଭିତରେ ବସୁଛନ୍ତି ଛାତ୍ରଛାତ୍ରୀ । ସେପଟେ ଅର୍ଦ୍ଧନିର୍ମିତ ଶ୍ରେଣୀ କଠୋରୀ ସମ୍ପୂର୍ଣ୍ଣ କରିବାକୁ ବ୍ଲକ ପ୍ରଶାସନ ଧ୍ୟାନ ଦେଉନାହାନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ବିଡିଓଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଶ୍ରେଣୀ ଗୃହ ନିର୍ମାଣ କରାଯିବ କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।