ଜଗତସିଂହପୁର: ଛିଣ୍ଡି ଯାଇଥିବା ସମ୍ପର୍କର ଖିଅକୁ କୁ ଯୋଡିଲା ଆଧାରକାର୍ଡ । 3ବର୍ଷ ପରେ ନିଜ ପରିବାକୁ ଫେରିଲା ହଜିଲା ପୁଅ ରୋହନ ସୁନା । ପରିଚୟପତ୍ର ପାଇଁ କେନ୍ଦ୍ର ସରକାର ପ୍ରଚଳନ କରିଥିବା ଆଧାରକାର୍ଡ ନିରୁଦ୍ଦିଷ୍ଟ ରୋହନକୁ ନିଜ ପରିବାର ପାଖରେ ପହଞ୍ଚାଇ ପାରିଛି । ହଜିଲା ପୁଅର ଘରବାହୁଡା ପରେ ଏବେ ପୁଣିଥରେ ହସି ଉଠିଛି ସୁନା ପରିବାର ।
ବାପ ପୁଅଙ୍କ ଆଖିରେ ଲୁହ । ଲୁହ ବଖାଣୁଛି ଖୁସିର କଥା । 3ବର୍ଷ ପରେ ଘରକୁ ଫେରିଛି ହଜିଲା ପୁଅ । ସେଥିପାଇଁ ପରିବାର ଲୋକଙ୍କ ମନ କୁଣ୍ଢେମୋଟ । ଝାରସୁଗୁଡା ଚାଇଲ୍ଡ ଲାଇନ ପରିସରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ତେବେ ଆଶ୍ଚର୍ଯ୍ୟର କଥା ଛିଣ୍ଡି ଯାଇଥିବା ଏହି ସମ୍ପର୍କର ଖିଅକୁକୁ ଯୋଡିଛି ଆଧାରକାର୍ଡ ।
ଝାରସୁଗୁଡ଼ା ରାୟପୁର ଖନ୍ତରେ ଗାଁର ଦିବ୍ୟାଙ୍କ ବାଳକ ରୋହନ ସୁନା । ମୁକ ବଧିର ରୋହନ ୨୦୧୭ ମସିହାରେ ପାର୍କକୁ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ହଜି ଯାଇଥିବା ରୋହନକୁ ଜିଆରପି ପୋଲିସ ଝାରସୁଗୁଡ଼ା ଷ୍ଟେସନରୁ ପାଇ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲା । ତେବେ ଚାଇଲ୍ଡ ଲାଇନ ବହୁ ଖୋଜାଖୋଜି କରି ମଧ୍ୟ ରୋହନର ପରିଚୟ ପାଇ ପାରି ନଥିଲା । ସେପଟେ ବାକଶକ୍ତି ନଥିବା ରୋହନ ମଧ୍ୟ ନିଜ ବିଷୟରେ କିଛି କହି ପାରିବାକୁ ଅକ୍ଷମ ଥିବାରୁ ଏହି ଚାଇଲ୍ଡ ଲାଇନ ତାର ଠିକଣା ପାଲଟି ଯାଇଥିଲା । ତେବେ ରୋହନର ଆଧାରକାର୍ଡ କରିବାକୁ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଯାଇଥିବା ବେଳେ ଜଣାପଡିଥିଲା ପୂର୍ବରୁ ରୋହନର ଆଧାର ସଂଯୋଗ ହୋଇସାରିଛି ।
ହଜିଲା ପୁଅର ଘରବାହୁଡା ପରେ ଏବେ ପୁଣିଥରେ ହସି ଉଠିଛି ସୁନା ପରିବାର । ବାସ୍ତବରେ ଜଦି ଏହି ଆଧାର କାର୍ଡ ନଥାନ୍ତା ତେବେ କଣ କେବେ ରୋହନ ଘରକୁ ଫେରିପାରିଥାନ୍ତା ।
