ଅର୍ଗସ ବ୍ୟୁରୋ: ପୁରୀ ପିପିଲିରେ ବନ୍ୟାକୁ ପୂରିଛି ୩ ମାସ । କିନ୍ତୁ ଏ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳି ପାରନି ସହାୟତା ରାଶି । ବର୍ଷା ଋତୁରେ ଦୟା ନଦୀରେ ଆସିଥିବା ବନ୍ୟା ଯୋଗୁଁ ପିପିଲି, ଡେଲାଙ୍ଗ ଓ କଣାସ ଅଞ୍ଚଳର ପ୍ରାୟ 25ଟି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଥଲା । ଶହ ଶହ ଏକର ଧାନ ଜମିରେ ବାଲି ଚରିଯାଇଥିଲା । ଚାଷୀଙ୍କ ବର୍ଷକର ପରିଶ୍ରମ ପାଣିରେ ପଡ଼ିଥିଲା । ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା ହୋଇଥିଲେ ମଧ୍ୟ ଏଯାଏ କୌଣସି ସହାୟତା ମିଳିନାହିଁ । ସେପଟେ ଚାଷ ଜମିରୁ ବାଲି କଢ଼ା ନଗଲେ ଚାଷ କରିବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ସରକାର ସହାୟତା ନ କଲେ ଦାଦନ ଖଟିବାକୁ ଯିବେ ବୋଲି କହିଛନ୍ତି ଚାଷୀ ।
ସେପଟେ କୃଷି ବିଭାଗ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥିବା କହିଛନ୍ତି ସ୍ଥାନୀୟ ତହସିଲଦାର । ରିପୋର୍ଟ ମିଳିବା ପରେ ଖୁବଶୀଘ୍ର ଚାଷୀ ସହାୟତା ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପିପିଲି ତହସିଲଦାର ପୁନମ ମହାପାତ୍ର। ବନ୍ୟା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଚାଷୀଙ୍କୁ ପ୍ରଶାସନ କେବେ ସହାୟତା ପ୍ରଦାନ କରୁଛନ୍ତି ଦେଖିବାକୁ ବାକି ରହିଲା।
ଓଡିଶା ଖବର ଆହୁରି ପଢନ୍ତୁ