ଦୀର୍ଘ 8 ବର୍ଷ ଧରି ନୃତ୍ୟ ଶିଖୁଛନ୍ତି ।ହେଲେ ମନକୁ ଗୋପ ବୃନ୍ଦାବନ କଳାଜହ୍ନ ପାଖରେ ଛନ୍ନ ଛନ୍ନ ହୋଇ ସମର୍ପି ହୋଇଯିବାର ଇଏ ଅନୁଭୂତି ପ୍ରଥମ ଓ ଭିନ୍ନ । ସିଂହଦ୍ୱାରେ ଏ ସମ୍ମର୍ପଣରେ ମନ ଆଜି ଗଙ୍ଗା ପରି ପବିତ୍ର ହେଇଆଯାଉଛି ।କଳ କଳ ହେଇ ବହି ଯାଉଛି ଭାବର ସେ ଅସୁମାରୀ ଧାରା ।8 ବର୍ଷ ତଳେ ଆପଣେଇଥିବା ଘୁଙ୍ଗୁର ଯୋଡ଼ିଟି ବି ଆଜି କୃତକୃତ୍ୟ ହେଇଯାଉଛି ।ପାଦ ଯୁଗଳର ଛନ୍ଦ ରେ ସଂସାରର ମୋହ ମାୟା ଛନ୍ଦ କପଟ ସବୁ ଆପେ ଉଭା ହେଇଯାଉଛି ।ସିଂହଦ୍ୱାରେ ନାଚି ଯାଉଛି ମନ ।ଏ ଯୌବନ ଆଜି କାଳିଆ ଠାକୁରଙ୍କ ଦିବ୍ୟ ଦର୍ଶନରେ ପବିତ୍ର ହୋଇଉଠିଛି ।ଧନ୍ୟ ହୋଇଛି ଚକ୍ଷ ଯୁଗଳ ।
ନୃତ୍ୟ ମାଧ୍ୟମରେ କଳାଠାକୁରଙ୍କ ସହ ଭାବର ଆଦାନ ପ୍ରଦାନ ଆଜି ପୁରୀ ଆସିବାର ଏ ମୁହୂର୍ତ୍ତକୁ ଧନ୍ୟ କରିଦେଇଛି। ସିଂହଦ୍ୱାର ରେ ଏ ପାଖରୁ ସେ ପାଖକୁ ଛନ୍ଦି ହୋଇ ନାଚି ଯାଉଥିବା ପାଦ ଆଉ କେବେ ଥକିବନି ଆଜିର ଏ ଦର୍ଶନ ବିଶ୍ୱାସ ଭରିଦେଇଛି ।ସେପଟେ ଦିନେ ହାତକୁ ଧରି ଯୁବତୀଙ୍କୁ ସଂଗୀତରେ ପାଦକୁ ମିଶାଇବା ଶିଖାଇଥିବା ଗୁରୁ ପ୍ରଫୁଲ୍ଲ ମହାନ୍ତି ବି ସାଙ୍ଗରେ ଆସିଛନ୍ତି ।ଦିନେ ଯିଏ ପାଦରେ ପାଦ ମିଶାଇବା ଶିଖାଇଥିଲେ ଆଜି ସେ wheel chair ଆଶ୍ରିତ ।
ସେ ବି ଆଜି ଧନ୍ୟ ନିଜ ଶିଷ୍ୟାର ଭାବ ସମର୍ପଣ ଦେଖି ।ଗୋଡ଼ରେ ବଳ ନାହିଁ ,ନହେଲେ ନିଜେ ବି ଟିକେ କଳାସାଆନ୍ତଙ୍କ ପାଖରେ ଝୁମି ଯାଇଥାନ୍ତେ,ତୃପ୍ତ ହୋଇଯାଇଥାନ୍ତା ଆତ୍ମା ।ଏତେ ଶିକ୍ଷା ଦେଇଛନ୍ତି ସେ ହେଲେ ଏମିତି ଭାବରେ ଭାବ ଭରିଦେବା ବାଲା ଏକା ସେ ରଙ୍ଗ ରସିକିଆ କାଳିଆ । ଉଭୟ ଗୁରୁ ଶିଷ୍ୟା କାଳିଆ ଠାକୁରଙ୍କ ସାନିଧ୍ୟ ନେଇ ଫେରିଛନ୍ତି ।ଜଣେ କଳାଠାକୁରଙ୍କ ପାଖରେ ଭାବରେ ଛନ୍ଦି ହୋଇ ଆଉ ଜଣେ ଭକ୍ତ ଭାବର ଏ ଗାଥାକୁ ନିଜ ସ୍ଵଚକ୍ଷୁରେ ସାଇତି ନେଇ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: