ନାଁ ସୁଲୋଚନା ବିଶ୍ବାଳ। ବାଲେଶ୍ବର ଜିଲ୍ଲା ବାଲିଆପାଳ ସାରପୁଞ୍ଚା । ସମ୍ମୁଖରେ ଥିବା କିଛି ସ୍ଥିର ଚିତ୍ର ହିଁ ବୟାନ କରୁଛି ସ୍ଥିତି। ମୁଣ୍ଡ ଗୁଞ୍ଜିବାକୁ ଆପଣ ଯାହାକୁ ଘର କୁହନ୍ତି, ହୁଏତ ଇଏ ସେମିତିକା ଘର ନୁହେଁ। କୋଉଠି ଛପର ଉଡି ଯାଇଛି ତ ଆଉ କୋଉଠି ଛପର ଉପରେ ପାଲ ପଡିଛି। ସତେ ଯେମିତି ଏ ମହିଳାଙ୍କୁ ବଞ୍ଚାଇ ରଖିବାକୁ ତାଳି ପକା ଉଦ୍ୟମ କରୁଛି ସମୟ।
ଘର ଭିତରର ସ୍ଥିତି ବି ଆପଣାର ଅବସ୍ଥାକୁ ବର୍ଣ୍ଣନା କରୁଛି। ଫାଳେ କାନ୍ଥର ଏ ଘରକୁ ମାଡି ବସିଛି ଚିରା ପାଲ। ଏଇଠି ସୁର୍ଯ୍ୟ ଆଉ ଚନ୍ଦ୍ର ଉଇଁଲେ ସାକ୍ଷୀ ହୁଅନ୍ତି ସୁଲୋଚନା। ଖରା, ବର୍ଷା, ଶୀତ ଆଉ କାକର। ସବୁକୁ ଅନୁଭବ କରିବାକୁ ତାଙ୍କ ପାଖରେ ନିଜସ୍ବ ବୋଇଲେ ଏ ଘର ଖଣ୍ଡକ ଅଛି। ଗଲା ବାତ୍ୟାରେ ଘରର କାନ୍ଥ ଭୁଶୁଡ଼ିଥିଲା। ଏବେ ବର୍ଷା ହେଲେ ପରଦୁଆରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ପର ବାରଣ୍ଡା ପାଲଟିଛି ତାଙ୍କ ଠିକଣା।
ସରକାର ବିକାଶର କଥା କୁହନ୍ତି। ଆଉ ଏଠି ସୁଲୋଚନା ଘର ଖଣ୍ଡେକୁ ତରସୁଛନ୍ତି। ଇନ୍ଦିରା ଆବାସ ଯୋଜନାରେ ସେ ଦୁଇ ୨ ଥର ଘର ଖଣ୍ଡିଏ ପାଇଁ ଆବେଦନ କରିଥିଲେ। ହେଲେ ସମୟ ପରେ ସମୟ ଗଡି ଚାଲିଥିଲେ ବି ତାଙ୍କ କଥା କେହି କର୍ଣ୍ଣପାତ କରୁ ନାହାନ୍ତି। ନା ସ୍ଥାନୀୟ ଲୋକପ୍ରତିନିଧି ନାଁ ବ୍ଲକ ଅଧିକାରୀ। ଏବେ ସୁଦ୍ଧା ଘରଟିଏ ନାହିଁ ବୋଲି ଦୁଃଖର ସହ କାନ୍ଦକାନ୍ଦ ହୋଇ କହୁଛନ୍ତି ସୁଲୋଚନା। ଦେଖାଯାଏ ଏ ନିରାଶ୍ରୟି ମହିଳାଙ୍କ କାନ୍ଦ ପ୍ରଶାସନ ପଥର ଛାତିକୁ ତରଳାଉଛି କି ନାହିଁ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।