ଗତ ନିର୍ବାଚନରେ ବିଜେପିର ମିଶନ ୧୨୦କୁ ସଫଳତା ମିଳିନଥିଲା । ମାତ୍ର ବିଜେଡିର ୨୧ରୁ ୨୧ ଲୋକସଭା ଆସନରେ ଜିତାଅ ସ୍ଲୋଗାନକୁ ଧରାଶାୟୀ କରିଥିଲେ ଓଡ଼ିଶାର ଜନତା । ପାଞ୍ଚ ପାଞ୍ଚଟି ନିର୍ବାଚନ ବିଜୟର ଟ୍ରାକ୍ ରେକର୍ଡ ସତ୍ତ୍ବେ ବି ଶାନ୍ତିନିଦ୍ରାରେ ଶୋଇପାରୁନାହାନ୍ତି ତୁଙ୍ଗ ବିଜେଡି ନେତା । ନବୀନ ପଟ୍ଟନାୟକଙ୍କ ପରି ବଡ଼ ଚେହେରା ସତ୍ତ୍ବେ ୧୪ରେ ୨୦ ଲୋକସଭା ଆସନ, ୧୯ରେ କମି ପହିଞ୍ଚିଥିଲା ୧୨ରେ । ସେଥିପାଇଁ ଏବେ ନଡ୍ଡାଙ୍କ ହୁଙ୍କାରକୁ ବଡ଼ ଆହ୍ୱାନ ବିଚାର କରୁଛି ବିଜେଡି ।
ଗତ ଲୋକସଭାରେ ବିଜେପିକୁ ମିଳିଥିଲା ୩୮ ପ୍ରତିଶତ ଅର୍ଥାତ୍ 91 ଲକ୍ଷ 29 ହଜାର ଭୋଟ୍ । ଅପରପକ୍ଷରେ ବିଜେଡି ୪୨ ପ୍ରତିଶତ ଭୋଟ୍ ସହ ମୋଟ୍ ୧ କୋଟି ୧ ଲକ୍ଷ ଭୋଟ୍ ହାତେଇଥିଲା । ତେଣୁ ଉଭୟ ଦଳ ମଧ୍ୟରେ ମୋଟାମୋଟି ମାତ୍ର ଦଶ ଲକ୍ଷ ଭୋଟର ଫରକ । ସେଥିପାଇଁ ରାଜ୍ୟ ପରେ ରାଜ୍ୟ ପ୍ରଭାବ ବିସ୍ତାର କରିଥିବା ବିଜେପି ଭଳି ଶକ୍ତିଶାଳୀ ରାଷ୍ଟ୍ରୀୟ ଦଳକୁ ବିଜେଡି ବଡ଼ ଆହ୍ୱାନ ଭାବିବା ସ୍ୱାଭାବିକ । ନଡ୍ଡାଙ୍କ ବହୁ ପୂର୍ବ ଯୋଜନାରେ ବିଜେଡି ବିଳମ୍ବିତ କିନ୍ତୁ ଜୋରଦାର ଏଣ୍ଟ୍ରି କରିଛି । ଜନତା ମୈଦାନ ବନାମ ବରମୁଣ୍ଡା ପଡ଼ିଆ। ଏପଟେ ମୋର୍ଚ୍ଚା ସମ୍ଭାଳିବେ ନଡ୍ଡା । ସେପଟେ ମଙ୍ଗ ଧରିବେ ନବୀନ ।