ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଅଭାବୀ ମଣିଷମାନେ ନାହିଁ ନାହିଁ ଭିତରେ ହିଁ ବଞ୍ଚିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ । ପାଖରେ ଖଣି ଖାଦାନ ଭରିହୋଇ ରହିଥିଲେବି ଲୋକଙ୍କୁ କାମ ମିଳୁନି । ସେଥିପାଇଁ ତ ଅନେକ ଶିଶୁଙ୍କ ଅବସ୍ଥା ଏହିପରି ଦୁର୍ବଳ ଆଉ ରୋଗୀଣା । ଅଙ୍ଗନୱାଡିରୁ ମିଳୁଥିବା ଖାଦ୍ୟ ଖାଇବା ପରେ ବି କାହିଁକି କୁପୋଷଣର ଶିକାର ହେଉଛନ୍ତି ଏମାନେ ?
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରାଯାଇ ଗର୍ଭବତୀ ମହିଳାଙ୍କ ପାଇଁ ମା' ଗୃହ ଏବଂ କୁପୋଷଣ ଶିଶୁଙ୍କ ପାଇଁ ପୃଷ୍ଟିକର ପୁନର୍ବାସ କେନ୍ଦ୍ର ବା NRC ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ହେଉଛି । ତଥାପି ଜିଲ୍ଲାରେ ଅନେକ କୁପୋଷଣର ଶିକାର ଶିଶୁ ରହିଛନ୍ତି, ଯେଉଁମାନଙ୍କ ନିକଟକୁ ପ୍ରଶାସନ ପହଞ୍ଚି ପାରୁନାହିଁ । ସେପଟେ ପିଢ଼ପୋଖରୀ ଅଞ୍ଚଳରେ କୁପୋଷଣ ରହିଥିବା ମାନିଛନ୍ତି ଯୋଡ଼ା ବ୍ଲକ୍ ସିଡିପିଓ ସୁକାନ୍ତି ପାତ୍ର । ଖୁବ୍ ଶୀଘ୍ର ସେ ଅଞ୍ଚଳରେ କୁପୋଷିତ ଶିଶୁମାନଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଇଏ କେବଳ ଗୋଟିଏ ଅଞ୍ଚଳର କଥା ନୁହେଁ, ଉପକୂଳଠୁ ଉପାନ୍ତ ସବୁଠି ଅପପୁଷ୍ଟିର ସଙ୍ଗୀନ ସ୍ଥିତି । ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ଅନୁସାରେ, ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ 5.13 ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା ହୋଇଥାନ୍ତି । ସେହିପରି 10.8 ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର ରହିଛନ୍ତି । ଆଶ୍ଚର୍ଯ୍ୟକର କଥା, ଓଡ଼ିଶାରେ ଥିବା ଗେଡା ପିଲା ସଂଖ୍ୟା ଉଗାଣ୍ଡା ସହ ସମାନ । ଆଉ ୧୩ ବର୍ଷରେ ୧୦୦ ବର୍ଷ ପୂରଣ କରିବ ଓଡ଼ିଶା । 2036 ବେଳକୁ ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ଯାହା ୨୨ ବର୍ଷରେ ହେଲାନି ତାହା 14 ବର୍ଷରେ ହୋଇପାରିବ ତ ?