ପଚାରୁଛି ଏ ଦୟନୀୟ ସ୍ଥିତି ପାଇଁ ଦାୟୀ କିଏ ? ଉପରମୁଣ୍ଡରେ ବ୍ୟାରେଜ କରି ଛତିଶଗଡ଼ ପାଣି ଅଟକାଇବା ପରେ ଜୀବନ, ବେଉସା ଓ ତୃଷ୍ଣା ସବୁକିଛି ବିପନ୍ନ । କଲମା ପରି ବ୍ୟାରେଜର ଗେଟ୍ ବନ୍ଦ ଯୋଗୁଁ ତଳମୁଣ୍ଡ ଓଡ଼ିଶାରେ ସତେ ଯେମିତି ନିଜେ ବଞ୍ଚିବାକୁ ଛଟପଟ ମହାଦାନୀ ମହାନଦୀ ।୭ ଦିନ ହେବ ନୟାଗଡ଼଼ରେ ଜଳ ଯୋଗାଣ ଠପ୍ । ପାଣି ନ ପାଇ ଡହଳବିକଳ ସହରବାସୀ । ମାର୍ଚ୍ଚ ମାସରୁ ନୟାଗଡ଼ରେ ମହାନଦୀ ଶୁଖିଯାଇଥିବା ବେଳେ ସରକାର ମିଛ ବାହା ବାହା ନେବାକୁ ପ୍ରକଳ୍ପ ପରେ ପ୍ରକଳ୍ପ ଘୋଷଣା କରିଚାଲିଛନ୍ତି l । 2019ରେ ନୟାଗଡ଼ରେ 530କୋଟି 86ଲକ୍ଷ ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ l
ତେବେ ହାଇଦ୍ରାବାଦର ଜିଭିପିଆର ଇଞ୍ଜିନିୟରିଂ ଲିମିଟେଡ୍ ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ଠିକା ନେଇଥିବା ବେଳେ 2021 ଡିସେମ୍ବର ମାସରେ ପ୍ରକଳ୍ପ ପୂରା କରିବା କଥା । ହେଲେ ଦେଢ଼ ବର୍ଷ ପରେ ବି ଏଯାଏଁ ସରୁନି କାମ । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଅଧିକାଂଶ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଥିବା ବେଳେ ଇଣ୍ଟେକ ୱେଲ ଚିହ୍ନଟ ନକରି ଏଭଳି ଆଗୁଆ ପାଇପ ବିଛାଇବା ସରକାରଙ୍କ ଦୁରଦୃଷ୍ଟି ଅଭାବକୁ ପଦାରେ ପକାଉଛି I ମହାନଦୀରେ ପାଣି ନଥିବାରୁ 73MLD କ୍ଷମତା ବିଶିଷ୍ଟ ମୁଖ୍ୟ ଇଣ୍ଟେକ ୱେଲ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାର ରଣପୁର ଓ ଓଡଗାଁ ବ୍ଲକ ପାଇଁ 395 କୋଟି 44ଲକ୍ଷ ଓ ଦଶପଲ୍ଲା - ଗଣିଆ ବ୍ଲକ ପାଇଁ 393 କୋଟି 94ଲକ୍ଷ ଟଙ୍କା ମେଗା ଜଳସେଚନ ପ୍ରକଳ୍ପ ପାଇଁ ସରକାର ଅନୁମୋଦନ କରିଥିବା ବେଳେ ବିନା ପାଣିରେ ପ୍ରକଳ୍ପ କିଭଳି ନିର୍ମାଣ ହେବ ନାଁ ପ୍ରକଳ୍ପ ନାଁରେ ଠିକାସଂସ୍ଥା ପୋଷାଯିବ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ।
ତେବେ ବିଜେଡି ସରକାର ମାଆ ବୋଲି ସମ୍ବୋଧନ କରି ମହାନଦୀ ମାମଲାକୁ ନ୍ୟାୟାଳୟଙ୍କ ଉପରେ ଛାଡ଼ି ଦେଇ ବସିଯିବା କେତେ ଦୂର ଠିକ୍ ? ମହାନଦୀ ତଳ ମୁଣ୍ଡରେ ବ୍ୟାରେଜ ନିର୍ମାଣ ନ କରାଯିବା କାରଣରୁ ବର୍ଷା ଦିନେ ସମୁଦ୍ରକୁ ବୋହି ଯାଉଛି 52 ପ୍ରତିଶତ ବର୍ଷା ଜଳ । ଏହାକୁ ରୋକିବା ପାଇଁ ମାଷ୍ଟରପ୍ଲାନ ସହ 7 ଟି ବଡ଼ ବ୍ୟାରେଜଓ 30ଟି ସ୍ଥାନରେ ନଦୀ ମଧ୍ୟରେ ଜଳାଶୟ କରିବାକୁ 2017ରୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପାଖାପାଖି ୩୦ ପ୍ରକଳ୍ପର ଘୋଷଣା ହୋଇଥିଲେ ବି ଗୋଟିଏ ବାସ୍ତବ ରୂପ ନେଇପାରିନି । ତେବେ ରାଜନୀତି ଓ ନ୍ୟାୟାଳର ନାଗଫାଶରୁ ମୁକୁଳି ଓଡ଼ିଶାର ଲାଇଫଲାଇନ ବୋଲାଉଥିବା ମହାନଦୀ କେବେ ଫେରି ପାଉଛି ପୂର୍ବାବସ୍ଥା ଏବେ ତାହାକୁ ହିଁ ଅପେକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: