ପିଲା ବେଳୁ ତାଙ୍କର ଫୁଟବଲ ଖେଳ ପ୍ରତି ଖୁବ ଆଗ୍ରହ ଦେଖା ଦେଇଥିଲା। ପ୍ରତିଦିନ ସକାଳୁ ଓ ଅପରାହ୍ନରେ ସାଙ୍ଗ ସାଥିଙ୍କ ସହିତ ସାହି ନିକଟରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡିଆରେ ଅଭ୍ୟାସ କରୁଥିଲେ। ପିଲା ବେଳୁ ସେ ଖୁବ ପରିଶ୍ରମୀ। ଗୁରୁ ପି.କାର୍ତ୍ତିକା ରାଓ ଓ ତାଙ୍କ ପିତା ଏ. ଶ୍ରୀନୁ ମଧ୍ୟ ଖେଳ ଶିକ୍ଷା ଦେଉଥିଲେ। ପୂର୍ବରୁ ମଧ୍ୟ ଏହି ସାହିର କିଛି ଯୁବକ ଫୁଟବଲ ଖେଳରେ ଏହି ଖେଳ ପଡିଆରୁ ହିଁ ନିଜର ଫୁଟବଲ ଜୀବନ ଆରମ୍ଭ କରି ବହୁ ଶିଖରରେ ପହଞ୍ଚିଛନ୍ତି। ଏବେ ଏ. ଶିବ ପ୍ରସାଦଙ୍କର ସଫଳତାକୁ ନେଇ ସବୁଠୁ ପ୍ରଶଂସାର ସୁଅ ଛୁଟୁଛି । ସେ ଏବେ ଇଟାଲୀ, ଥାଇଲାଣ୍ଡ, ୟୁଏଇ, ଉଜବେକିସ୍ତାନ, ସାଉଦି ଆରବ, ନେପାଳ ଭଳି ସ୍ଥାନରେ ଖେଳିସାରିଲେଣି। ବର୍ତ୍ତମାନ ଭାରତୀୟ ଦଳରେ ରହି ନେପାଳରେ ସାଫ ଚମ୍ପିୟନଶିପରେ ଖେଳୁଥିବା ସୂଚନା ମିଳିଛି। ତାଙ୍କର ଏହି ସଫଳତାକୁ ନେଇ ସାହି, ପରିବାର ଓ ସାଙ୍ଗ ସାଥି ଖୁସି ବ୍ୟକ୍ତ କରିଛନ୍ତି ।
ପୁଅର ଏହି ସଫଳତା ପାଇଁ ବାପା ଶ୍ରୀନୁଙ୍କ ମଧ୍ୟ ଖୁବ ଅବଦାନ ରହିଛି । ତାଙ୍କ ପିତା ଶ୍ରୀନୁ ମଧ୍ୟ ଜଣେ ଫୁଟବଲ ଖେଳାଳି ଥିଲେ । ରାଜ୍ୟର ୧୩ ଜିଲ୍ଲାରେ ସ୍କୁଲ ପ୍ରତିଯୋଗିତାରେ ଖେଳିଥିବା ବେଳେ ସୁବ୍ରତ ମୁଖାର୍ଜୀ ଟ୍ରଫି ଖେଳିଥିଲେ । ବାପାଙ୍କ ଠାରୁ ପ୍ରେରଣା ପାଇ ଶିବ ଆଗକୁ ବଢିଥିଲେ। ନେପାଳରେ ଚାଲିଥିବା ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରି ବାଂଲାଦେଶକୁ ନିଜ ଦଳ ପକ୍ଷରୁ ୩-୦ ଗୋଲରେ ପରାସ୍ତ କରିଥିଲେ । ଭୁଟାନକୁ ୨-୧ ରେ ପରାସ୍ତ କରି ଭାରତକୁ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି ।
କେବଳ ଏ ଶିବ ପ୍ରସାଦ ନୁହେଁ ଏହା ପୂର୍ବରୁ ଏହି ସାହିର ଡି ସଞ୍ଜୟ, ଏ ସନ୍ତୋଷ, ଏ ନରେଶ, ଏ କହ୍ନେୟାଙ୍କ ଭଳି ଅନେକ ଯୁବକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାଗନେବା ସହ ରାଜ୍ୟର ସନ୍ତୋଷ ଟ୍ରଫିରେ ଅଧିନାୟକ ମଧ୍ୟ ହୋଇସାରିଛନ୍ତି । ଆହୁରି ଅନେକ ଛାତ୍ର ମଧ୍ୟ ଫୁଟବଲ ଖେଳ ପ୍ରତି ଆଗ୍ରହ ଥିବା ଲକ୍ଷ୍ୟ କରାଯାଇଛି । ହେଲେ ପିଲାଙ୍କ ଖେଳ ପାଇଁ ଭଞ୍ଜନଗରରେ କୌଣସି ସୁବିଧା ଏପରିକି ଭଲ ଖେଳ ପଡ଼ିଆଟିଏ ନଥିବାରୁ ଅଧିକାଂଶ ସମୟରେ ଖେଳାଳିଙ୍କ ମନୋବଳକୁ ଦୁର୍ବଳ କରିଦେଉଛି। ଏଥିପ୍ରତି ପ୍ରଶାସନ ନଜର ଦେବାକୁ ଦାବି ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର