ପରିଣତ ବୟସ ସତ୍ୱେ ସୁରେନ୍ଦ୍ର କାମରୁ ନେଇ ନାହାନ୍ତି ବିରାମ । ଜଙ୍ଗଲିଆ ପଥର ଚଟାଣରେ ସୃଷ୍ଟି କରିଦେଇଛନ୍ତି ସବୁଜିମାର ଚାଦର । ସୁରେନ୍ଦ୍ର ଏବେ ୬ ଏକର ଜମିରେ କରୁଛନ୍ତି ଚାଷ । ବାଦାମ,ମକା ,କାକୁଡି ,ବାଇଗଣ ସହିତ ଲଗାଇଛନ୍ତି ୫୦୦ ଦେଶୀଆଳୁ ବା ଖମ୍ବଆଳୁ କନ୍ଦା । ଏବେ ଏବେ ବାଇଗଣ ଫଳିବା ଆରମ୍ଭ ହୋଇଛି । ୨ ଦିନରେ ଅମଳ ହେଉଛି ୪୦ କେଜି ବାଇଗଣ । ଆଗକୁ ଅଧିକ ବାହାରିବ ବୋଲି କହିଛନ୍ତି ସୁରେନ୍ଦ୍ର । ସୁରେନ୍ଦ୍ର କହନ୍ତି ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ । ୧୦୦ କୁକୁଡ଼ା ଅଛି ୨ଟି ଗାଈ ରଖିଛି । ଗତବର୍ଷ ଦୁଇଲକ୍ଷ ଟଙ୍କାର ବିଲାତି ବିକିଛି ।
ଦିନସାରା କାମ କରୁଛି ସନ୍ଧ୍ୟାରେ ଭାଗବତ ପଢୁଛି । ବହୁତ ଖୁସି । ସ୍ଥାନୀୟ ସମିତି ସଭ୍ୟ ବାପି ଟୁଡୁ କୁହନ୍ତି ପରିଣତ ବୟସରେ କାମ କରି ସେ ବର୍ତ୍ତମାନର ପିଢ଼ି ପାଇଁ ପାଲଟିଛନ୍ତି ଉଦାହରଣ ।ସକାଳ ହେବା ମାତ୍ରେ ସୁରେନ୍ଦ୍ର ପହଂଚି ଯାଆନ୍ତି କ୍ଷେତରେ । କେତେବେଳେ ମକା କ୍ଷେତରୁ ଘାସ ବାଛନ୍ତି ତ କେତେବେଳେ ଗଛରୁ ତୋଳନ୍ତି ବାଇଗଣ । ଗାଈ ଦୁଇଟି ପାଇଁ ନିଜେ ଘାସ କାଟି ଆଣିବା ସହିତ ବଜାରରୁ ୪୦/୫୦ କେଜିର ବୋହି ଆଣନ୍ତି କୁକୁଡ଼ା ଦାନା । ଚାଷ ଜମି ନିକଟରେ ତାଙ୍କର ରହିଛି ଦୁଇଟି ପୋଖରୀ । ପୋଖରୀରେ ମାଛଚାଷ ହେଉଥିବା ବେଳେ ପୋଖରୀ ହୁଡାରେ ତିଆରି ହୋଇଛି କୁକୁଡ଼ା ଫାର୍ମ ।
ଆଗରୁ ଏଠାରେ ବେଶୀ କୁକୁଡ଼ା ଥିଲା । ଏବେ ସଂଖ୍ୟା ଟିକେ କମିଛି । ୧୦୦ ଯାଏଁ ଅଛନ୍ତି ଦେଶୀ କୁକୁଡ଼ା । ମାଛଚାଷ ,କୁକୁଡ଼ା ଚାଷ ,ଗାଈ ପାଳନ ସାଙ୍ଗକୁ କ୍ଷେତରେ ସବୁବେଳେ ନାନା ରକମର ପରିବା ଚାଷ କରନ୍ତି ସୁରେନ୍ଦ୍ର । ଏଥିରେ ତାଙ୍କ ପୁଅ ଆଉ ବୋହୁ କରିଥାନ୍ତି ସହଯୋଗ ।ପରିଣତ ବୟସରେ ପ୍ରାକୃତିକ କୃଷିକୁ ପ୍ରାଥମିକତା ଦେଇ ସଫଳତା ସାଉଣ୍ଟିଛନ୍ତି ସୁରେନ୍ଦ୍ର ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।