ବେଲୁନ ନବିକିଲେ ପେଟ ପୂରିବନି, ପରିବାର ଚଳିବନି । ସେଇଥିପାଇଁ ତ ପେଟ ପାଇଁ ପବନ ଭର୍ତ୍ତି ବେଲୁନ ବିକୁଛି ଆଉ ଅତି ଯତ୍ନର ସହ ବେଲୁନ ଗୁଚ୍ଛାକୁ ତା ହାତ ମୁଠାରେ ରେ ଜାବୁଡି ଧରିଛି । କାରଣ ସେ ଜାଣିଛି ଯଦି ଗୋଟେ ବି ବେଲୁନ ଫାଟି ଯିବ ତେବେ ଆଜି ତାଙ୍କୁ ଉପାସ ରହିବାକୁ ପଡିବ, ଭୋକିଲା ଶୋଇବାକୁ ପଡିବ ।
ମାଲକାନଗିରି ସଦର ସ୍ଥିତ ଏକ ନାମଯଜ୍ଞ ପଡ଼ିଆ ରେ ବୁଲୁବୁଲୁ ଏ ନିଷ୍କପଟ, ନିଷ୍ପାପ ଯୁବକ ଉପରେ ପଡିଥିଲା ଆମ ପ୍ରତିନିଧିଙ୍କ ନଜର । ଅଳ୍ପ ବୟସର ଯୁବକ ପୁଅର ନିରିହ ଆଖି, ନିର୍ଭେଜାଲ ଚାହାଣୀ, ବେଲୁନ ବିକିବାର ଭଙ୍ଗୀ ଆଉ ଦୁଃଖ ଚାପି ଚୁପି ଚୁପି ହସିବାର କଳା ତାଙ୍କୁ ପ୍ରଭାବିତ କରିଥିଲା ଆଉ ସେ ସଙ୍ଗେସଙ୍ଗେ କ୍ୟାମେରାରେ କଏଦ କରିଥିଲେ ଏ ଯୁବକବେଲୁନ ବିକାଳୀକୁ।
ବିଭାସ ଦାସ । ବୟସ 21 ବର୍ଷ । ଘର ଏମଭି 79 ଠାରେ । ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଅଭାବ ନୁହଁ ଅଭାବ ସହ ରକ୍ତ କର୍କଟ ରୋଗ ରେ ମଧ୍ୟ ଜଡିତ ଏହି ଯୁବକ ଜଣଙ୍କ । ପାଖରେ ପଇସା ନଥିବାରୁ ପୁଅକୁ ପାଠ ପଢାଇ ନାହାନ୍ତି ବାପା ମାଆ । ପେଟ ପାଇଁ ତ ପଇସା ନାହିଁ ପାଠ ପାଇଁ ଆସିବ କେଉଁଠୁ ? ଆଉ ଚିକିତ୍ସା ତ ଦୂରର କଥା । ବାଧ୍ୟ ହୋଇ ଖଡି, କଲମ ଧରା ହାତରେ ବିଭାଷ ଧରିଛି ମନଛୁଆଁ ବେଲୁନ ।
ଯେଉଁ ବୟସରେ ସେ ରଙ୍ଗୀନ ବେଲୁନ ଧରି ଖେଳିବା କଥା ସେହି ବୟସରେ ସେ ବେଲୁନ ବିକୁଛି । ମୁଣ୍ଡ ଉପରେ ଭଳି କି ଭଳି ରଙ୍ଗ ବେରଙ୍ଗର ବେଲୁନ ଥାଇ ବି ଭୋକ ପାଇଁ ସେସବୁ ଫିକାଫିକା ଦିଶୁଛି । ତଥାପି ଛିଡି ଯାଇଥିବା ପରର ଜୋତା, ଗଳି ପଡୁଥିବା ପ୍ୟାଣ୍ଟ , ମଇଳା ପୋଷାକ ପିନ୍ଧି ବିଭାସ୍ ବେଲୁନ ପରି ରଙ୍ଗୀନ ଭବିଷ୍ୟତର ସ୍ୱପ୍ନ ଦେଖୁଛି ।
ଅପରପକ୍ଷେ ରକ୍ତ କର୍କଟରେ ପୀଡିତ ବିଭାସଙ୍କୁ ସରକାର ଚିକିତ୍ସା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।