ଭୁବନେଶ୍ଵର: ଖତଗଦାରେ ମହାପୁରୁଷଙ୍କୁ ସମ୍ମାନ। ରାଜଧାନୀରେ ଅବହେଳିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି। ସଂସ୍କୃତି ବିଭାଗର ନାହିଁ ନଜର। ନୂଆ ରୂପରେ, ନୂଆ ଢଙ୍ଗରେ ରାଜଧାନୀ ଭୁବନେଶ୍ୱର ସଜେଇ ହେଉଛି। କିନ୍ତୁ ରାଜଧାନୀର ଇତିହାସ ବହନ କରୁଥିବା ଅନେକ ମହାପୁରୁଷଙ୍କୁ ଅସମ୍ମାନ କରାଯାଉଛି। ରାଜଧାନୀର ସୌନ୍ଦର୍ଯ୍ୟକରଣ ନେଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ପାର୍କ, ମଲ, ସିନେମା ହଲ ସବୁକୁ ଆଧୁନିକତାର ଛାପ ଦିଆଯାଉଛି । କିନ୍ତୁ, ସହରର ପ୍ରମୁଖ ଛକ ମାନଙ୍କରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏବେ ଅଳିଆ ଗଦାରେ ପରିଣତ ହୋଇଛି। ନା ମୂର୍ତ୍ତିକୁ ସଫା କରାଯାଉଛି, ନା ଭାଙ୍ଗିଥିବା ମୂର୍ତ୍ତିକୁ ନିର୍ମାଣ କରାଯାଉଛି । ମୂର୍ତ୍ତି ପରିସରରେ ଅସହାୟ ଲୋକଙ୍କ ରହଣୀ ସ୍ଥଳ ପାଲଟିଛି। ଅନ୍ୟ କିଛି ସ୍ଥାନରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାହାକୁ ନେଇ ସାମାଜିକ କର୍ମୀ ନାପସନ୍ଦ କରିଛନ୍ତି ।
ଅନ୍ୟପଟେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପ୍ରତି ଏଭଳି ଚରମ ଅବହେଳାକୁ ରାଜଧାନୀର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ଖାଲି ଯେ, ରାଜଧାନୀର ରାସ୍ତାଘାଟ ଚକାଚକ୍ କରିଦେଲେ ଓଡ଼ିଶାର ପରିଚୟ ଉପରକୁ ଉଠିଯିବ ତାହା ନୁହେଁ। ବରଂ ରାଜଧାନୀର ମୂଖଶାଳାରେ ମହାପୁରୁଷଙ୍କୁ ଏମିତି ଅସମ୍ମାନ ଓଡ଼ିଶାର ପରିଚୟକୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ବିଏମସି, ବିଡିଏକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଏନେଇ ଆମେ ବିଏମସି କମିଶନରଙ୍କୁ ଭେଟିଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ସହୋଯୋଗରେ ଏସବୁର ଖୁବଶୀଘ୍ର ପୁନରୁଦ୍ଧାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
କେବଳ ଜନ୍ମ ଜୟନ୍ତୀରେ ମନେ ପକାଇ ବର୍ଷକ ବାର ମାସ ମହାପୁରୁଷଙ୍କୁ ଅବହେଳା ରାଜ୍ୟ ସଂସ୍କୃତି ବିଭାଗର ଅପାରଗତାକୁ ପଦାରେ ପକାଇଛି। ତେବେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପୁନରୁଦ୍ଧାର କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।