ବଲାଙ୍ଗିର : ପାଟଣାଗଡ ଧୁମାଭଟା ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଗତକାଲି ରାତ୍ରିରେ ଗୋଟିଏ ବାଇକ ଏବଂ ପିକଅପ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ରାସ୍ତା ଖରାପ ଥିବାରୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ଏନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାନୁଯାୟୀ, ପାଟଣାଗଡ ପଟରୁ ବେହେରାବନ୍ଧ ଗ୍ରାମକୁ ୩ ଜଣ ଯୁବକ ଏକ ନମ୍ବର ବିହୀନ ଆପାଚି ଗାଡିରେ ଦ୍ରୁତ ଗତିରେ ଯାଉଥିବା ସମୟରେ ଟିଟିଲାଗଡରୁ ପାଟଣାଗଡକୁ ଆସୁଥିବା ଏକ ନମ୍ବର ବିହୀନ ମହିନ୍ଦ୍ରା ବୋଲେରୋ ପିକଅପ୍ ସମ୍ନାରୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ଯୁବକ ଛିଟିକି ପଡିଥିଲେ । ଏହି ଦୁର୍ଘଟଣାରେ ବଲାଙ୍ଗିର ମନହରପୁରର ରାଜୁ ବନଛୋରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଟଣାଗଡ ଟିକପାଲିର ଅଖିଳେଶ ଘିଭେଲା ଏବଂ ବେହେରା ବନ୍ଧ ଗ୍ରାମର ଡୋଲାମଣି ବନଛୋରଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ବର୍ତମାନ ସ୍ଥାନାନ୍ତର କରାଯାଇଛି। ଏଠାରେ ପ୍ରକାଶ ଯେ ଉକ୍ତ ରାସ୍ତାରେ ଖାଲ ହୋଇଥିବାରୁ ମଝିରେ ମଝିରେ ଛୋଟ ବଡ ଦୁର୍ଘଟଣା ଘଟୁଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ ନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।