ଏହି ଡବଲ ମର୍ଡର ଘଟଣାର ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀ ତଥା ବଡ଼ବିଲ ଆଇଆଇସି ରାଜେନ୍ଦ୍ର ସ୍ୱାଇଁ ଗତ କିଛି ଦିନ ତଳୁ ସନ୍ଧ୍ୟା ପ୍ରାୟ ୮ ଟାରେ ରୁଗୁଡ଼ି ଥାନା ଅଞ୍ଚଳରୁ ଅଭିଯୁକ୍ତ ମିଲୁଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ମାତ୍ର ବିଳମ୍ବିତ ରାତିରେ ଅଭିଯୁକ୍ତ ମିଲୁର ମୃତ୍ୟୁ ଘଟିଥିଲା । ତେବେ ଏନେଇ ମିଲୁଙ୍କ ପରିବାର ପୋଲିସ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୋଲିସ ପ୍ରବଳ ମାଡ଼ ମାରିବା ସହିତ ଗୁଳି କରିବା ଫଳରେ ମିଲୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ଲିନୁ ବାରିକ । ମୃତକର ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଓ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ଗୁଳି କରାଯାଉଥିବା ନେଇ ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିଛନ୍ତି । ନ୍ୟାୟ ପାଇଁ ସେମାନେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି କେନ୍ଦୁଝର ପୋଲିସ। ଅଭିଯୁକ୍ତ ମିଲୁଙ୍କୁ ରୁଗୁଡ଼ି ଥାନାରେ ପଚରାଉଚରାବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ରାତି ୧୧ଟା ସମୟରେ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଚମ୍ପୁଆ ଏସ୍ଡିପିଓ ରାମରାୟ ମୁର୍ମୁ କହିଛନ୍ତି । ଅଭିଯୁକ୍ତଙ୍କୁ ମାଡ଼ ମରାଯିବା ସହ ଗୁଳି କରାଯାଇଥିବା ଅଭିଯୋଗକୁ ସେ ଅସ୍ବୀକାର କରିବା ସହିତ NHRC ଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ଏନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ମୃତଦେହ ବ୍ୟବଚ୍ଛେଦ କରାଇଛି ପୋଲିସ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।