କଥା ୧- କୌଣସି ହତ୍ୟା ଘଟଣାରେ ମୃତକଙ୍କ ନିକଟରେ ମୃତ୍ୟୁ ବେଳେ ଥିବା ଲୋକକୁ ପ୍ରଥମେ ଜେରା କରାଯାଏ। ହେଲେ ଏହି ଘଟଣାରେ ଦେଖାଗଲା ବ୍ୟତିକ୍ରମ। ମୁଖ୍ୟ ଅଭିଯୁକ୍ତ ଭାବେ ଜଳଜଳ ଦିଶୁଥିବା ମୃତକଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ସବା ପଛରେ ଜେରା କଲା କ୍ରାଇମବ୍ରାଞ୍ଚ। ତାହା ପୁଣି ଗୋଟିଏ ଦିନରେ ସରିଗଲା।
କଥା ୨- ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖିଲା ବେଳେ ପାଖରେ କିଏ ରହିବେ କିଏ ନ ରହିବେ ସେ ନେଇ ଆମ ବିଧି ବ୍ୟବସ୍ଥାରେ ଗୋଟିଏ ନିର୍ଦ୍ଧିଷ୍ଟ ନୀୟମ ରହିଛି। ହେଲେ ଏ ନିୟମକୁ ଖୋଲା ଉଲ୍ଲଂଘନ କରି ମୁଖ୍ୟ ଅଭିଯୁକ୍ତ ତଥା ବିଦ୍ୟାଭାରତୀଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ଥିବା ଡିଏଫ ସଂଗ୍ରାମ କେଶରୀ ବେହେରା ଉପସ୍ଥିତ ଥିଲେ। ସେ କ’ଣ ପାଇଁ ଉପସ୍ଥିତି ଥିଲେ ସେ ନେଇ ତାଙ୍କୁ କୌଣସି କୈଫିୟତ୍ ତଲବ କରାଗଲା ନାହିଁ। ସାଧାରଣରେ ଏ କଥା ସନ୍ଦେହ ଉଠିବା ସ୍ବାଭାବିକ ଯେ, ତାଙ୍କର ଉପସ୍ଥିତି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁନାହିଁ ତ ?
କଥା ୩- ବିଦ୍ୟାଭାରତୀଙ୍କ ସମ୍ପକୀୟ ଏସଆଇ ମମତା ପଣ୍ଡା ରାସ୍ତାରେ ଜଣେ ୯୦ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତିଙ୍କ ଆମ୍ବୁଲାନ୍ସକୁ ଅଟକାଇଲେ। ପୁଲିସ ମାନବିକତା ଭୁଲିଲା। ଏପଟେ ବିଦ୍ୟାଭାରତୀଙ୍କ ସମ୍ପକୀୟ ବୋଲି ସେ ତଦନ୍ତ ପରିସରକୁ ତୁରନ୍ତ ଟଣାହେବା କଥା। କିନ୍ତୁ ଏଥିରେ ବି ବିଳମ୍ବ ହେଲା, ହେଲେ କ’ଣ ପାଇଁ ?
କଥା ୪- ସୌମ୍ୟ ଡାକ୍ତରଖାନା ପ୍ରାଣ ହରାଇବା ପରେ ଯେଉଁ ଡାକ୍ତର ତାଙ୍କର ମୃତଦେହ ବ୍ୟବଚ୍ଛେଦ କଲେ ସିଏ ମଧ୍ୟ ବିଦ୍ୟାଭାରତୀଙ୍କ ସମ୍ପକୀୟ ଭିଣୋଇ। ଏଣୁ ନିଜ ଶାଳୀଙ୍କୁ ଅପରାଧ ତାଲିକାରୁ ମୁକ୍ତି ଦେବାକୁ ସେ ଯେ, ବ୍ୟବଚ୍ଛେଦ ରିପୋର୍ଟରେ ଅଗଲ ବଗଲ କରି ନ ଥିବେ ସେ କଥା କିଏ କହିବ !
କଥା ୫ – ଛୋଟିଆ ଡିଏଫ ସଂଗ୍ରାମ କେଶରୀ ବେହେରା। ହେଲେ ତାଙ୍କୁ ଛୋଟିଆ କହିବା ଭୁଲ ହେବ। ଯେଉଁଭଳି ଢଙ୍ଗରେ ସେ ଗଣମାଧ୍ୟମ ବୁମ୍ ଠେଲୁଛନ୍ତି, ଅତି କଦର୍ଯ୍ୟ ବ୍ୟବହାର କରୁଛନ୍ତି ସେଥିରୁ ତାଙ୍କ ପ୍ରକୃତ ପ୍ରବୃତ୍ତି ଆକଳନ କରାଯାଉଛି। ପୂର୍ବରୁ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ମଧ୍ୟ ସେ କିଛି ଅନିୟମିତତା କରି ମାଡ ଖାଇଥିବା ଅଭିଯୋଗ ହୁଏ। ଏସବୁ ଦେଖି ଏତିକି କୁହାଯାଇପାରେ ଯେ, ସେ ଏହି କ୍ରାଇମ୍ ପ୍ଲଟର ପ୍ରମୁଖ ଚରିତ୍ର। କିନ୍ତୁ ତାଙ୍କ ଢାଲ କେହି ବଡ଼ ବଡିଆ। ନଚେତ୍ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ତାଙ୍କର ଏତେ ସାହସ ହୋଇ ନ ଥାନ୍ତା।
କଥା ୬ – ଡିଏଫଓଙ୍କ ସମ୍ପର୍କ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ବହୁତ ନିବିଡ। ଏଥିପାଇଁ ତାଙ୍କ ଲାଞ୍ଜରେ ହାତ ମାରିବାକୁ କାହାର ବି ସାହସ ନାହିଁ। ହେଲେ ଏତେବଡ ପ୍ରସଙ୍ଗରେ ମନ୍ତ୍ରୀଙ୍କ ମୁହଁରୁ ପଦୁଟିଏ ଖସିଲାନି। କିନ୍ତୁ ମନ୍ତ୍ରୀଙ୍କ ଅଫିସର ଗୋଟିଏ ଫୋନକଲରେ ଏହି କ୍ରାଇମ ପ୍ଲଟର ଗୋଟିଏ ଚରିତ୍ରଙ୍କୁ ଟ୍ରାନ୍ସଫର ହେଲା। ଏଥିରୁ ଆପଣ ସାଧାରଣ ଭାବେ ବୁଝି ପାରୁଥିବେ ଯେ, ଏହି ଘଟଣାରେ କିଏ କେତେ ସାମିଲ।
କଥା ୭ – କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀଙ୍କ ଫୋନ କଲ ମଧ୍ୟ ବହୁ ସତ କଥା ପଦାକୁ ଆଣିଲା। ନିଜେ ତଦନ୍ତକାରୀ ଅଧିକାରୀ DFOଙ୍କ ଉପସ୍ଥିତି ସମ୍ପର୍କରେ ସ୍ବୀକାର କରୁଥିଲେ ବି ତଦନ୍ତ ପାଇଁ କାହାର ନିର୍ଦ୍ଦେଶକୁ ଅପେକ୍ଷା କରିଥିବା କହିବା ତଦନ୍ତ ପ୍ରକ୍ରିୟା ଯେ, ଆଦୌ ସ୍ବଚ୍ଛ ନୁହେଁ ତାହା ପ୍ରମାଣିତ କଲା।
କଥା ୮ – ଡିଏଫଙ୍କ ରାତି ଅଧରେ ସୌମ୍ୟଙ୍କ ଘରକୁ ଯାଉଥିଲେ। ହେଲେ ସଫେଇ ଦେଉଥିଲେ ଯେ, ତାଙ୍କର ବିଦ୍ୟାଭାରତୀଙ୍କ ସହ କୌଣସି ଅନୈତିକ ସମ୍ପର୍କ ନାହିଁ। ଏଇଟା କିଭଳି କଥା ଆପଣ ବିଚାର କରନ୍ତୁ। ଜଣେ ଭଦ୍ରଲୋକ ରାତି ଅଧରେ ପଛ କବାଟ ଦେଇ କାହା ଘରେ ପ୍ରବେଶ କରିବା କେତେଦୂର ଯୁକ୍ତିଯୁକ୍ତ ଆପଣ ବିଚାର କରନ୍ତୁ। ଏ କଥା ଖୋଦ୍ ସେ ସମୟର ରାତି ଜଗୁଆଳି କହିଛନ୍ତି। ଯାହାଙ୍କୁ ଡିଏଫଓ ଚାକିରିରୁ ବିଦା କରିଛନ୍ତି।
କଥା ୯ – ଯାହାର ଭେଣ୍ଡିଆ ପୁଅ ମରିଛି ସେ ଜାଣିଛି ତାର ଦୁଃଖ। ଯାହା ମୁହଁରେ ସତ ଥାଏ ସିଏ ହିଁ ନିର୍ଭିକ ଭାବେ କହିପାରେ। ସୌମ୍ୟଙ୍କ ବାପା ଡିଏଫ, ଜଙ୍ଗଲ ମନ୍ତ୍ରୀ ଆଉ ନିଜ ବୋହୂ ଉପରେ ନକାରାତ୍ମକ ଟିପ୍ପଣୀ ବାରମ୍ବାର କରୁଛନ୍ତି। ହେଲେ ‘ଗରିବ ଝିଅ ସମସ୍ତଙ୍କ ଶାଳୀ’ ଉପସର୍ଗଟି ଏହିଠାରେ ଗ୍ରହଣୀୟ ବୋଲି ଧରିନେବାକୁ ପଡିବ। କାରଣ ଏଠି ତାଙ୍କୁ ନ୍ୟାୟ ଦେବାକୁ କେହି ନାହିଁ। ଏଣୁ ସତ ଏହା ଯେ, ତାଙ୍କ ଆଖିରେ ଧର୍ମ ଛାଡିଯାଇଛି।