କାରଣ ଲୋକେ ନ୍ୟାୟ ପାଇବା ପାଇଁ ପୁଲିସ ଆଉ ପ୍ରଶାସନ ଉପରେ ନିର୍ଭର କରନ୍ତି। କିନ୍ତୁ ଦୁର୍ଭାଗ୍ୟ, ଏଠି ପୁଲିସ ପ୍ରଶାସନ ହେଭିୱେଟଙ୍କ ଇଶାରାକୁ ଅପେକ୍ଷା କରେ। ସ୍ୱୟଂଚାଳିତ ଭାବେ କୌଣସି କାର୍ଯ୍ୟ କରିବାରେ ଏହାର ଯେ, ଦମ୍ଭ ନାହିଁ, ସେ କଥା ଆଜି ପ୍ରମାଣିତ ହୋଇଛି ।
ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଏକ ଅଡିଓ ହସ୍ତଗତ ହେବା ପରେ ଏହି ତଥ୍ୟ ଜଳଜଳ ହୋଇ ଦିଶୁଛି। ଘଟଣାର ତଦନ୍ତକାରୀ ଅଧିକାରୀ ବା IO ଜ୍ଞାନ ରଞ୍ଜନ ମିଶ୍ରଙ୍କ କହିବା କଥା ସେମାନେ ବିଦ୍ୟାଭାରତୀଙ୍କୁ ଜେରା କରିବାକୁ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶ ପାଇ ନାହାନ୍ତି। ଏହିଠାରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିପାରେ ଯେ, ଅଦ୍ୟାବଧି ସମସ୍ତଙ୍କୁ ଜେରା କଲାଣି କ୍ରାଇମବ୍ରାଞ୍ଚ । ହେଲେ ବିଦ୍ୟାଶ୍ରୀ କ’ଣ ପାଇଁ ଏହି ପରିସୀମାରୁ ବାଦ୍ ପଡିଛନ୍ତି ?
ସ୍ବାମୀଙ୍କ ମୃତ୍ୟୁ ବେଳେ ସାକ୍ଷୀ ଥିବା ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପର୍କ ଆଦୌ ସୌମ୍ୟଙ୍କ ସହ ଭଲ ନ ଥିଲା । ଏ କଥା ଘଟଣାକ୍ରମରୁ ଆପଣ ବି ବୁଝିଯିବେଣି। ଆଉ ଡିଏଫଓଙ୍କ ସହ ତାଙ୍କ ସମ୍ପର୍କ କ’ଣ ତାହା ଗୋଟିଏ ବିରାଟ ପ୍ରଶ୍ନବାଚୀ। ହେଲେ ଏହି ଅଡିଓରେ IO ମହୋଦୟ DFO ସଂଗ୍ରାମ କେଶରୀ ବେହେରାଙ୍କ ସମ୍ପର୍କରେ ଯାହା କହିଛନ୍ତି, ତାହା ମଧ୍ୟ ପ୍ରଣିଧାନ ଯୋଗ୍ୟ। କାରଣ ମିଶ୍ରଙ୍କ କହିବା କଥା DFO ମହୋଦୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୌମ୍ୟଙ୍କ ପାଖେ ପାଖେ ରହିଥିଲେ। ଏମିତିକି ମୃତ୍ୟୁ କାଳୀନ ଜମାନବନ୍ଦୀ ସମୟରେ ମଧ୍ୟ ସେ ଉପସ୍ଥିତ ଥିଲେ। ଯାହାକି ଗୋଟିଏ ଆଇନ୍ ବହିର୍ଭୁତ କାମ । ଏ କଥା ନିଜେ IO ମିଶ୍ର ସ୍ବୀକାର କରୁଛନ୍ତି।
ଏଣୁ ବିଦ୍ୟାଭାରତୀ ଏବଂ DFO ବେହେରାଙ୍କୁ ହିଁ ଅଧିକ ତଦନ୍ତ ପରିସରଭୁକ୍ତ କରାଯିବା କଥା। କିନ୍ତୁ ନିର୍ଦ୍ଦେଶ ମିଳି ନ ଥିବାରୁ କ୍ରାଇମବ୍ରାଞ୍ଚ ବିଶେଷ କିଛି କରିପାରୁ ନାହିଁ ବୋଲି ସେ ଖୋଦ୍ କହିବା ପରେ ସମସ୍ତଙ୍କ ସନ୍ଦେହ ମନ୍ତ୍ରୀଙ୍କ କରିଡରକୁ ଚାଲି ଯାଉଛି। ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କିମ୍ବା DFOଙ୍କ ଧରମ ପିତା ବୋଲାଉଥିବା ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କିଏ ପଚ୍ଛଦପଟ୍ଟରେ ଖେଳ କରୁଛନ୍ତି ତାହା ଏବେ ଜାଣିବାକୁ ବାକି ରହିଲା।
ଏକଥା ବି ସତ, କ୍ରାଇମବ୍ରାଞ୍ଚ ଗୃହ ବିଭାଗ ଅଧିନରେ ଆସୁଥିବା ବେଳେ ଆଉ ୨ ଜଣ ଏହି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି। ଜଣେ କ୍ରାଇମବ୍ରାଞ୍ଚ ଡିଜି ସଞ୍ଜିବ ପଣ୍ଡା, ଆଉ ଜଣେ ଗୃହବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର।
ଯେହେତୁ ପୁଲିସ ଓ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାରେ ଲାଗିଛି, ଏଥିପାଇଁ ଏହି ଦୁଇ ଜଣଙ୍କ ନାଁ ଟାଣି ହୋଇ ଆସିଛି। ଏପଟେ ଯଦି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜଙ୍ଗଲମନ୍ତ୍ରୀ, ଧରମ ପୁଅକୁ ଘଣ୍ଟ ଘୋଡାଇଲା ବେଳେ ନିଜେ ଧରାପଡନ୍ତି, ତାହେଲେ ସରକାରଙ୍କ ପାଇଁ ଅଡୁଆ ବଢିବାର ବି ସମ୍ଭାବନା ରହିଛି।
ଏଣୁ ସମସ୍ତେ ମିଳିମିଶି ଏବେ DFOଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି। ତଦନ୍ତ ପଛେ ଚୁଲିକୁ ଯାଉ, DFO ସୁରକ୍ଷିତ ଥିଲେ ମନ୍ତ୍ରୀ ଆରୁଖ ସୁରକ୍ଷିତ ରହିବେ। ସିଏ ସୁରକ୍ଷିତ ରହିଲେ ଦିବ୍ୟଶଙ୍କର ବାବୁ ଆଉ କ୍ରାଇମବ୍ରାଞ୍ଚ ଡିଜି ମଧ୍ୟ ସୁରକ୍ଷିତ ରହିବେ। ଏଥିରେ ଦ୍ବିମତ ନାହିଁ। କିନ୍ତୁ ସୌମ୍ୟଙ୍କ ବୁଢା ବାପା ଆଉ ବୁଢି ମା’ର ଲୁହର ଜବାବ କାହା ପାଖରେ ନାହିଁ। ଗୋଟିଏ ମାତ୍ର ମିଶନ୍, ଡିଏଫଓ ସୁରକ୍ଷା ଅଭିଯାନ ସରୁ, ତା ପରେ ଯାଇ ଯୋଉ କଥା।