ଓଡିଶା କିପରି ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ମୁକାବଲା କରୁଛି ସେ ନେଇ ପ୍ରଶିକ୍ଷଣ ନେବେ ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ । ଫାଇଲିନ୍, ହୁଡ୍ହୁଡ୍, ତିତଲି, ଫନି, ବୁଲ୍ବୁଲ୍, ଅମ୍ପାନ, ୟସ୍, ଆଉ ଏବେ ଗୁଲାବ । ଗତ ୯ ବର୍ଷ ଭିତରେ ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି ।
ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସରକାରଙ୍କ ସହ କାନ୍ଧ ମିଶାଇ ଛିଡା ହୋଇଛନ୍ତି ସାଧାରଣ ଲୋକେ । ଆଉ ଓଡ଼ିଆ ଲୋକଙ୍କ ଏହି ମନୋବଳ ଓ ପରାକାଷ୍ଠାର ପ୍ରଶିକ୍ଷଣ ନେବାକୁ ଅନ୍ୟ ରାଜ୍ୟମାନେ ବେଶ ଆଗ୍ରହୀ । ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଓଡ଼ିଶାଠାରୁ ଏନେଇ ଶିକ୍ଷା ନେବେ ।
ଆଜିଠାରୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀରେ କର୍ମଶାଳା ଆୟୋଜନ ହେଉଛି । କୋଣାର୍କର ରାମଚଣ୍ଡିରେ ବିପର୍ଯ୍ୟୟ ମୁକାବିଲାର ବାସ୍ତବ ଶିକ୍ଷା ଦିଆଯିବ । ପାଣିରୁ ଉଦ୍ଧାର, ଯାନ୍ତ୍ରିକ ଡଙ୍ଗା ଦ୍ୱାରା ଲୋକଙ୍କୁ ସ୍ଥାନାନ୍ତର, ରାସ୍ତା ସଫା ପାଇଁ ଗଛ କଟା ନେଇ ଦିଆଯିବ ଶାରୀରିକ ଶିକ୍ଷା । ଓସଡମା ପକ୍ଷରୁ ଶିକ୍ଷା ଦିଆଯିବ । ୧୯୯୯ ମସିହାରେ ଓଡ଼ିଶା ମହାବାତ୍ୟାର ଭୟାବହତା ଦେଖିଥିଲା ।