2014ରେ ବିଜେଡି ପକ୍ଷରୁ ଜାରୀ ଏହି ନିର୍ବାଚନ ଇସ୍ତାହାରକୁ ଭଲଭାବରେ ଦେଖନ୍ତୁ। ଶାସକ ଦଳ ପ୍ରତିଶ୍ରୁତି ଦେଇଥିଲା କୃଷି ଉତ୍ପାଦର ସଂରକ୍ଷଣ ପାଇଁ ସବୁ ବ୍ଲକରେ ପିପିପି ମୋଡରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର। ଏବେ କୃଷି ମନ୍ତ୍ରୀ କହୁଛନ୍ତି ଶୀତଳ ଭଣ୍ଡାର ଆଉଟ୍ ଡେଟେଡ୍। 9 ବର୍ଷ ତଳେ ନିଜ ଦଳ ଦେଇଥିବା ପ୍ରତିଶ୍ରୁତି ଆଉଟ୍ ଡେଟେଡ୍ ଟେକ୍ନୋଲୋଜି ହୋଇଗଲା କେମିତି। ଏବେ କୃଷିମନ୍ତ୍ରୀ କହୁଛନ୍ତି ଆମେ କୋଲ୍ଡ ଚେନ୍ ବ୍ୟବସ୍ଥା କରୁଛୁ। ଚାଷୀଙ୍କୁ ପୁଣି ଭୁଆଁ ବୁଲାଇବାକୁ ବିଜେଡି ସରକାରଙ୍କର ଇଏ ଆଉ ଏକ ନୂଆ ଚାଲ କି।
ବିଜେପି ବିଧାୟକ ଗଣେଶରାମ ସିଂହ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି କୃଷି ବିଭାଗରେ ସବୁକିଛି ସ୍ବଚ୍ଛତାର ସହ ଚାଲିଛି। କୌଣସି ହେରଫେର ହୋଇପାରିବନି। ଯଦି ଏତେ ସ୍ବଚ୍ଛ କୃଷି ବିଭାଗ ତାହାହେଲ ତାଙ୍କ ଦଳ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଜନବିରୋଧୀ କହି ଦଳରୁ ବହିଷ୍କାର କଲା କାହିଁକି। 18 କୋଟି ଟଙ୍କାର ଧାନ କଟା ମେସିନ ସବିସିଡି ଠକେଇରେ ଫସିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା । ଭିଜିଲାନ୍ସ ମଧ୍ୟ ସୁଧାଂଶୁ 4 କୋଟି ଟଙ୍କା ଠକିଥିବା ତା ରିପୋର୍ଟରେ ଉଲ୍ଲେଖ କରିଛି। ସୁଧାଂଶୁଙ୍କ ବ୍ୟବସାୟିକ ସଂସ୍ଥା ନିଗମାନନ୍ଦ ଆସୋସିଏଟସ ଚାଷୀଙ୍କୁ ବିକିଥିଲା ମିଛ ଧାନକଟା ମେସିନ୍। ପ୍ରତି ଟ୍ରାକ୍ଟର ପିଛା 6 ଲକ୍ଷ ଟଙ୍କାର ସବସିଡି ହିସାବରେ ମୋଟ୍ 18 କୋଟି ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଏକଥା କଣ କୃଷିମନ୍ତ୍ରୀଙ୍କୁ ଜଣା ନାହିଁ।
ନିଜ ଦଳ ଓ ସରକାରର ଅପାରଗତା ଢାଙ୍କିବାକୁ କୃଷିମନ୍ତ୍ରୀ ଯେତେ ଭୁଆଁବୁଲାଇବାକୁ ପ୍ରୟାସ କଲେ ବି ପ୍ରମାଣ ସବୁକିଛି ସ୍ପଷ୍ଟ ଭାବେ ବୟାନ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର