ଏନେଇ ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡ. ସ୍ବୟମ୍ପ୍ରଜ୍ଞା ପରିଡ଼ାଙ୍କ ନେତୃତ୍ବରେ ଡାକ୍ତର, ନର୍ସିଂ କର୍ମଚାରୀ, ସୁରକ୍ଷା ଏବଂ ସାନିଟାରୀ କର୍ମଚାରୀଙ୍କୁ ନେଇ ଏକ ୧୭ ଜଣିଆ ଟିମ୍ ଗଠନ କରାଯାଇଛି। ଡ. ଜ୍ୟୋତ୍ସା ଏବଂ ଡ. ପାୟଲ ଏହି ଟିକାକରଣ ଅଭିଯାନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ସମସ୍ତ ଯୋଗ୍ୟ କିଶୋର/କିଶୋରୀ ହିତାଧିକାରୀ ଏବଂ ସେମାନଙ୍କ ପିତାମାତା/ଅଭିଭାବକ ଟିକାକରଣ ପାଇଁ ଆଗକୁ ଆସିବା ନିହାତି ଆବଶ୍ୟକ। କୋଭିଡ୍ର ତୃତୀୟ ଲହର ବିରୋଧରେ ଲଢ଼ିବାକୁ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ବୋଲି ଡ. ସ୍ବୟମ୍ପ୍ରଜ୍ଞା ପରିଡ଼ା ପ୍ରକାଶ କରିଛନ୍ତି। ପଞ୍ଜୀକୃତ ମୋବାଇଲ୍ ନମ୍ବର ମାଧ୍ୟମରେ କୋଉଇନ୍ ଆପ୍ ମାଧ୍ୟମରେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ସବିଶେଷ ତଥ୍ୟ ଦେବାକୁ ପଡିବ। ଏହାପରେ ତାରିଖ ଏବଂ ଚୟନକରିଥିବା କୋଭିଡ୍ ଟିକାକରଣ କେନ୍ଦ୍ର(ସିଭିସି) ପାଇଁ ବୁକିଂ ଚୟନ କରିବାକୁ ପଡିବ | ଥରେ ବୁକିଂ ସରିବା ପରେ ହିତାଧିକାରୀମାନେ ଟିକାଦାନ କେନ୍ଦ୍ରରେ ପଞ୍ଜୀକରଣ ତଥ୍ୟ ପ୍ରିଣ୍ଟ୍ ଆଉଟ୍ କିମ୍ବା ମୋବାଇଲରେ ଦେଖାଇବାକୁ ପଡିବ | ଟିକା ନେବାକୁ ଆସୁଥିଲେ ଖାଲି ପେଟରେ ଆସିବା ଉଚିତ୍ ନୁହେଁ। କୌଣସି ଜ୍ୱର କିମ୍ବା ଯନ୍ତ୍ରଣା ହେଲେ ଜଣେ ବ୍ୟକ୍ତିଙ୍କୁ ଖାଦ୍ୟ ପରେ ପାରାସିଟାମୋଲ ୫୦୦/୬୫୦ ମିଗ୍ରା ଔଷଧ ନେବାକୁ ପଡିବ ବୋଲି ଡ. ପରିଡ଼ା ପରାମର୍ଶ ଦେଇଛନ୍ତି।
ଟିକାକରଣ ପରେ ମଧ୍ୟ କୋଭିଡ୍କୁ ନେଇ ରହିଥିବା ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ପରିଡ଼ା ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଦେଶରେ କରୋନା ଭାଇରସ୍ ସଂକ୍ରମଣର ଓମିକ୍ରନ୍ ଭାରିଆଣ୍ଟ୍ର ଉତ୍ପତ୍ତି ମଧ୍ୟରେ ୧୫-୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଭିଡ୍ ଟିକାକରଣ ଅଭିଯାନ ସାରା ଦେଶରେ ଆରମ୍ଭ କରାଯାଇଛି।