ଅନେକ ସମୟରେ ହାତୀ ମାନେ ଜନବସତି ମୁହାଁ ହେବା ଯୋଗୁଁ ହାତୀ-ମନୁଷ୍ୟ ଲଢେଇ ମଧ୍ୟରେ ଅନେକଙ୍କ ମୃତ୍ୟୁ ହେବା ସହ ଧନ,ସମ୍ପତି ମଧ୍ୟ ନଷ୍ଟ ହୋଇଥାଏ। ତେଣୁ ଏହାକୁ ରୋକିବା ପାଇଁ ବନବିଭାଗର ଅପରେସନ ବସ୍ ଐରାବତ ଆରମ୍ଭ କରାଯାଇଛି। ଯାହାର ମୂଲ୍ୟ ରହିଛି ଏକୋଇଶି ଲକ୍ଷ ଟଙ୍କା। ତେବେ ଆଗକୁ ଅମଳ ଋତୁ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଯେପରି ହାତୀମାନେ ଫସଲ ନଷ୍ଟ କରି ନପାରିବେ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି । ଏକା ସାଙ୍ଗରେ ଏହି ବସ 25ରୁ ଅଧିକ କର୍ମଚରୀଙ୍କୁ ନେଇ ଘଟଣାସ୍ଥଳରେ ପହଁଚି ପାରିବ । ହାତୀ ଘଉଡାଇବା ପାଇଁ ଏଥିରେ ଟର୍ଚ୍ଚ, ବାଣ ଓ ଜୀବଜନ୍ତୁଙ୍କୁ ଉଦ୍ଧାର କରିବା ପାଇଁ ଜାଲ ମଧ୍ୟ ରହିବ। ତେବେ ପ୍ରଥମ ପର୍ଯ୍ୟାୟରେ ଏହା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ଗୁଡିକରେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।
ସେପଟେ ପ୍ରତିବର୍ଷ ହାତୀମାନେ ଜନବସତି ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରିବା ସହ ଅନେକ କ୍ଷୟକ୍ଷତି ଘଟାଇଥାନ୍ତି ବୋଲି ସ୍ଥାନୀୟ ଚାଷୀ କହିଛନ୍ତି । ତେଣୁ ସରକାରଙ୍କ ଏହି ଐରାବତ ବସର ବ୍ୟବସ୍ଥାକୁ ସେମାନେ ସ୍ବାଗତ କରିବା ସହ ଏହାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। କାରଣ ପୂର୍ବରୁ ବନ ବିଭାଗ ହାତୀ ଘଉଡାଇବା ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଏହା ସୁଫଳ ହୋଇନାହିଁ। ସେହିପରି ଏତେ ବଡ଼ ବସ୍ ହୋଇଥିବାରୁ ଗାଁ ଗହଳିରେ ଥିବା ସଂକୀର୍ଣ୍ଣ ରାସ୍ତାରେ କିପରି ଏହା ଯାଆସ କରିବ ଓ କେତେ ଶୀଘ୍ର ଘଟଣାସ୍ଥଳରେ ପହଁଚି ସେଠାରେ ଯଥା ସମ୍ଭବ କାର୍ଯ୍ୟ କରିପାରିବ ତାହା କାର୍ଯ୍ୟକାରୀ ହେବା ପରେ ଜଣାପଡ଼ିବ ବୋଲି କହିଛନ୍ତି ହାତୀ ବିଶେଷଜ୍ଞ।