ସରକାରଙ୍କ ଏଭଳି ଆଭିମୁଖ୍ୟ ଥିବା କଥା କେବଳ ଆମେ କହୁଛୁ ତାହା ନୁହେଁ ବରଂ ବିଧାନସଭାର ପବିତ୍ର ଗୃହରେ ଖୋଦ୍ ଅବକାରୀ ମନ୍ତ୍ରୀ ଏମିତି ବିବୃତ୍ତି ଦେଇଛନ୍ତି।
ଆଜି ବିଧାନସଭାର ଅଣତାରକା ପ୍ରଶ୍ନ ସଂଖ୍ୟା ୭୫୩ ଥିଲା ମଦ ପ୍ରସଙ୍ଗରେ। ବିଧାୟକ ଶ୍ରୀ ଭାସ୍କର ମଢେଇ ପ୍ରଶ୍ନ କରିଥିଲେ ଯେ, ଓଡିଶାର ଯୁବସମାଜ ନିଶା କାରବାରରେ ଲିପ୍ତ ରହୁଛନ୍ତି । ଏଣୁ ମଦମୁକ୍ତ ଓଡିଶା ଗଠନ କରିବା ଦିଗରେ ସରକାରଙ୍କ ଆଭିମୁଖ୍ୟ କ’ଣ?
ଏଭଳି ପ୍ରଶ୍ନର ଉତ୍ତର ଦେଇ ମାନ୍ୟବର ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯାହା କହିଲେ ତାକୁ ଶୁଣିଲେ ଆପଣ ମଧ୍ୟ ତାଜ୍ଜୁବ ହେବେ। ଆଉ ବୁଝିଯିବେ ଯେ, ଆମ ସରକାର ମଦମୁକ୍ତ ଓଡ଼ିଶା ଗଠନ ପାଇଁ କେତେ ଯତ୍ନଶୀଳ।
ଉତ୍ତରରେ ମନ୍ତ୍ରୀ କହିଥିଲେ, ଯୁବ ସମାଜ ନିଶା କାରବାରରେ ଲିପ୍ତ ରହୁଥିବା ଅଭିଯୋଗ ତଥ୍ୟ ଭିତ୍ତିକ ନୁହେଁ ବରଂ ମଦ୍ୟ ପାନରେ ଅଭ୍ୟସ୍ତ ଥିବା ଲୋକମାନଙ୍କୁ ସୁଲଭ ତଥା ଉତ୍ତମମାନର ମଦ ଅନୁମୋଦିତ ଦରରେ ଯୋଗାଇ ଏହାକୁ ନିୟନ୍ତ୍ରଣତ୍ମକ କରାଯାଇଛି।
ଓଡିଶାକୁ ମଦମୁକ୍ତ ଓଡିଶା ଗଠନ ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ । ଆମ ରାଜ୍ୟର ପାର୍ଶ୍ଵବର୍ତ୍ତୀ ରାଜ୍ୟମାନଙ୍କରେ ତଥା ଦେଶର ଅଧିକାଂଶ ରାଜ୍ୟରେ ନିଶା ନିବାରଣ ହୋଇ ନ ଥିବାରୁ ସେଠାରୁ ଆମ ରାଜ୍ୟକୁ ଚୋରାରେ ମଦ ଆସିବାର ଆଶଙ୍କା ଅଛି। ଏହାଛଡା ନିଶା ନିବାରଣର ସୁଯୋଗ ନେଇ ଚୋରା ନିଶା/ମଦ ବେପାରୀମାନେ ସେମାନଙ୍କ ବେଆଇନ କାରବାରକୁ ବ୍ୟାପକ ଭାବେ ପ୍ରସାରଣ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ତେଣୁ ଓଡିଶାକୁ ମଦମୁକ୍ତ ଓଡିଶା ଗଠନ ଏକ ବାସ୍ତବଧର୍ମ ପଦକ୍ଷେପ ହୋଇ ନ ପାରେ ।
ସୂଚନାଯୋଗ୍ୟ, ଦିନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ମଦମୁକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ। ଖାଲି ସ୍ୱପ୍ନ ଦେଖି ନ ଥିଲେ ବରଂ ଏହାର କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଥିଲେ। ନିଶା, ଜୀବନକୁ ନଷ୍ଟ କରେ। ଏଣୁ ସିଏ ମୁଖ୍ୟମନ୍ତ୍ରୀ ଥିଲାବେଳେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ମଣିଷକୁ ନିଶା ନୁହେଁ ଜୀବନ ଆଡକୁ ଟାଣିନେବା। ଆଉ ଏଥିପାଇଁ ସେ ରାଜ୍ୟକୁ ମଦ କବଳରୁ ମୁକ୍ତି ଦେବାକୁ ଆରମ୍ଭ କରିଥିଲେ ଅଭିଯାନ।
୧୯୫୬ରେ ତାଙ୍କରି ନେତୃତ୍ୱରେ ହିଁ, ମଦ ମୁକ୍ତ ଓଡ଼ିଶା ପାଇଁ ବିଲ୍ ଉପସ୍ଥାପନ ହୋଇ ପାସ୍ ମଧ୍ୟ ହୋଇଥିଲା। ଯାହା ଥିଲା ‘Odisha Prohibition Act, 1956’ । ଯାହାକି ରାଷ୍ଟ୍ରପତି ମହୋଦୟଙ୍କ ଦ୍ୱାରା ଅନୁମୋଦିତ ହୋଇ ଜାନୁୟାରୀ ୧୯, ୧୯୫୭ରେ ଆଇନରେ ପରିଣତ ହୋଇଥିଲା। କିନ୍ତୁ ଆଇନ୍ ନାଲିଫିତା ତଳେ ରହିଗଲା। ଆଉ ଛତୁ ଫୁଟିଲା ଭଳି ରାଜ୍ୟଯାକ ଖୋଲିଲା ମଦ ଦୋକାନ।
ଏମିତିକି ରାଜ୍ୟ ସରକାର ଏଥିପାଇଁ ସରଳ ଲାଇସେନ୍ସ ବ୍ୟବସ୍ଥାକୁ ମଧ୍ୟ ଆପଣେଇଲେ। ଓକିଲାତି କଲା ଭଳି ବଡ଼ ନେତାଏ ଏ କଥା ବି କହିଲେ ଏଥିରେ ରାଜ୍ୟକୁ ଭଲ ରୟାଲଟି ଆସେ। ଆଉ ଏବେ ମନ୍ତ୍ରୀ ରୋକଠୋକ୍ କହିଲେଣି, ମଦମୁକ୍ତ ଓଡ଼ିଶା ଗଠନ ଏକ ବାସ୍ତବଧର୍ମୀ ପଦକ୍ଷେପ ନୁହେଁ।
ଏଣୁ ସତ କହିବାକୁ ଏ ରାଇଜକୁ ଜଗନ୍ନାଥ ସାହା, ଉପରକୁ ହାତ ଟେକିଦେବା କଥା।