ଗତକାଲି କେନ୍ଦ୍ର କ୍ୟାବିନେଟ୍ରେ ସମସ୍ତଙ୍କୁ ସ୍ଵାସ୍ଥ୍ୟସେବା ନିଷ୍ପତ୍ତି ଉପରେ ମୋହର ବାଜିବା ପରେ ଏନେଇ ପ୍ରଧାନମନ୍ତ୍ରୀ ବି ଟ୍ଵିଟ କରିଛନ୍ତି । କହିଛନ୍ତି, ପ୍ରତି ନାଗରିକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଆମର ପ୍ରାଥମିକତା । ପୂର୍ବରୁ ପ୍ରତି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇଥିଲା । ହେଲେ ବିଜେଡି ସରକାର ଜାଣିଶୁଣି ଯୋଜନା ଲାଗୁ କରିନଥିଲା । ବାରମ୍ବାର କେନ୍ଦ୍ରର ପରାମର୍ଶ ପରେ ମାନିନଥିଲେ ନବୀନ । ଏମିତିକି ଆୟୁଷ୍ମାନ ଯୋଜନା ଅପେକ୍ଷା ବିଜୁ ସ୍ଵାସ୍ଥ୍ୟ ଯୋଜନା କୁଆଡେ ଭଲ ବୋଲି କହିଥିଲେ । ହେଲେ ସେ ଯୋଜନାରେ କେମିତି ଲୋକେ ହିନସ୍ତା ହେଉଥିଲା ତାହାର ଦୃଶ୍ୟ ବି ଆପଣ ଦେଖିଛନ୍ତି ।
ସୂଚନା ଅନୁସାରେ, ଯେଉଁମାନଙ୍କ ବୟସ ୭୦ରୁ ଉର୍ଦ୍ଧ୍ଵ ଓ ସେମାନେ ଜାତୀୟ ସରକାରୀ ସ୍ଵାସ୍ଥ୍ୟ ସ୍କିମ୍ (CGHS), ଏକ୍ସ-ସର୍ଭିସି ଅବଦାନ ସ୍ବାସ୍ଥ୍ୟ ସ୍କିମ୍ (ECHS) ଓ ଆୟୁଷ୍ମାନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ର ଫାଇଦା ହାସଲ କରୁଛନ୍ତି, ସେମାନେ ପୂର୍ବ ଯୋଜନାରେ ରହିପାରିବେ କିମ୍ବା ନୂଆ ଆୟୁଷ୍ମାନ ଯୋଜନାରେ ନିଜକୁ ସାମିଲ କରିପାରିବେ । ସେମାନଙ୍କ ପାଖରେ ଏ ନେଇ ବିକଳ୍ପ ରହିବ। ଏହାସହ ୭୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଘରୋଇ ସ୍ୱାସ୍ଥ୍ୟ ବୀମା କିମ୍ବା ରାଜ୍ୟ ବୀମା ସ୍କିମ ଅଧୀନରେ ରହିଛନ୍ତି, ସେମାନେ ମଧ୍ୟ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ ହସ୍ପିଟାଲ ପଞ୍ଜୀକୃତ ହୋଇଛି। ସେଥିରେ ୧୨,୮୨୪ ଘରୋଇ ହସ୍ପିଟାଲ ରହିଛନ୍ତି। ୨୦୨୨-୨୩ ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍ପିଟାଲରେ ହୋଇଥିବାବେଳେ ୪୪%ଙ୍କ ଚିକିତ୍ସା ସରକାରୀ ହସ୍ପିଟାଲରେ ହୋଇଛି । ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ ମୋଟ ୧୯୪୯ ପଦ୍ଧତିରେ ଚିକିତ୍ସା ସୁବିଧା ମିଳୁଛି ।