ଆଜ୍ଞା ଆମେ ଏ କଥା କହୁନାହୁଁ ଏ ଦୃଶ୍ୟ କିନ୍ତୁ ଅବିକଳ ତାହା ହିଁ କହୁଛି। ଏ ଗଣ୍ଡଗୋଳ ଦୃଶ୍ୟ କଟକ ସିଏମସି ବା କଟକ ମହାନଗର ନିଗମର। ମେୟର ସୁବାସ ସିଂଙ୍କୁ ଘେରିଛନ୍ତି ବିରୋଧୀ କର୍ପୋରେଟର। ଅଭିଯୋଗ ଏତିକି, ଆମ ବିଧାୟକଙ୍କ ନାଁ ନାମ ଫଳକରେ ଲେଖାଯାଉନି କଣ ପାଇଁ ?
ହେଲେ ନିରୁତ୍ତର ମେୟର ସୁବାସ ସିଂ। ଏମିତି କି ତାଙ୍କ ମୁହଁରୁ ଆପଣ ବିରାକ୍ତିର ଭାବ ବି ସ୍ପଷ୍ଟ ବାରି ପାରୁଥିବେ। କଟକ ମହାନଗର ନିଗମ କାଉନ୍ସିଲ ବୈଠକ ଆରମ୍ଭରୁ କଂଗ୍ରେସ କର୍ପୋରେଟର ଏମିତି ହଟଗୋଳ କରିଥିଲେ।
କଟକ ବାରବାଟୀ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାମରେ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ରହୁନି। ସମ୍ଭବତଃ ଜାଣିଶୁଣି ନାଁ ଦିଆଯାଉ ନାହିଁ। ବିଭିନ୍ନ ଉଦ୍ଘାଟନୀ ପ୍ରକଳ୍ପର ବିଧାୟକଙ୍କ ନାମ ଫଳକ ନ ଥିବାରୁ ତାଙ୍କ ସମର୍ଥକ ତଥା କଂଗ୍ରେସ କର୍ପୋରେଟରମାନେ ଖପ୍ପା ହୋଇଥିଲେ।
କଂଗ୍ରେସ ଓ ବିଜେପିକୁ ମେୟରଙ୍କ ପାତରଅନ୍ତର ସହିବାକୁ ପଡୁଛି ବୋଲି ଅଭିଯୋଗ ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, କଂଗ୍ରେସ କର୍ପୋରେଟରଙ୍କୁ ସମର୍ଥନ ଜଣାଇଥିଲେ ବିଜେପି କର୍ପୋରେଟର। ମେୟରଙ୍କ ଉତ୍ତର ଦାବୀ କରି ବିଜେପି ଓ କଂଗ୍ରେସ କର୍ପୋରେଟର ଗୃହ ମଧ୍ୟରେ ଧାରଣା ମଧ୍ୟ ଦେଇଥିଲେ।