ନକଲି ସାର୍ଟିଫିକେଟ ବିକ୍ରି କରିବା ଅଭିଯୋଗରେ ବୋର୍ଡର ଜଣେ କର୍ମଚାରୀ ଗିରଫ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବୋର୍ଡ଼ କାର୍ଯ୍ୟାଳୟରେ ସୁଇପର ସୁପର ଭାଇଜର ବା ଜମାଦାର ଭାବେ କାର୍ଯ୍ୟ କରୁଥିବା ଭ୍ରମରବର ନାୟକ ନାଁ ରେ ନକଲି ସାର୍ଟିଫିକେଟ ବିକ୍ରି ଅଭିଯୋଗ ଆସିବା ପରେ ଏହି ମାମଲାର ତଦନ୍ତ କରି ମଙ୍ଗଳାବାଗ ପୋଲିସ ଭ୍ରମରବରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ତା ନାଁ ରେ 420,467,468,471 ଦଫା ମଧ୍ୟ ଲାଗିଛି।
ଭ୍ରମରବର OSTEET ପରୀକ୍ଷା ଦେଇ ପାସ କରିଥିବା କେନ୍ଦୁଝରର ଦେବାଶିଷ ନାମକ ଜଣେ ବ୍ୟକ୍ତିଙ୍କୁ ନକଲି ସାର୍ଟିଫିକେଟ ବିକି 45 ହଜାର ଟଙ୍କା ନେଇଥିଲେ । ତେବେ ସାର୍ଟିଫିକେଟଟି ନକଲି ବୋଲି ଜାଣିବା ପରେ ଦେବାଶିଷ ଭ୍ରମରବରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଫଳରେ ଦେବାଶିଷ ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ଏବଂ ବୋର୍ଡ଼ କର୍ତ୍ତୃପକ୍ଷ ପରେ ମଙ୍ଗଳାବାଗ ଥାନା କୁ ତଦନ୍ତ ପାଇଁ ଚିଠି ଲେଖି ଥିଲେ।
ମଙ୍ଗଳାବାଗ ପୋଲିସ ଏକ ମାମଲା ରୁଜୁ କରି ଭ୍ରମରବରଙ୍କୁ ଗିରଫ କରିବା ସହ ଭ୍ରମରବରକୁ ସାଥିରେ ଧରି ବୋର୍ଡ କାର୍ଯ୍ୟାଳୟରେ ଛାନବିନ ମଧ୍ୟ କରି ଥିଲା। ତେବେ ଭ୍ରମର ଏକାଧିକ ଲୋକଙ୍କୁ ନକଲି ସାର୍ଟିଫିକେଟ ବିକି ଥିବା ସନ୍ଦେହ କରାଯାଉ ଥିବା ବେଳେ ଏହା ପଛରେ ଏକ ବଡ଼ ଗ୍ୟାଙ୍ଗ ଚାଲି ଥିବା ମଧ୍ୟ ଆଲୋଚନା ହେଉଛି। ସେପଟେ ଏହି ଅଭିଯୋଗକୁ ବୋର୍ଡ଼ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ଭ୍ରମରବର ବିରୁଦ୍ଧରେ ବିଭାଗୀୟ କାର୍ଯାନୁଷ୍ଠାନ ପାଇଁ ପ୍ରକିୟା ଆରମ୍ଭ ହୋଇଥିବା କହିଛନ୍ତି।